ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ ଶନିବାର ଭୋର ସକାଳୁ ୭ଟି ହାତୀଙ୍କ ମୃତ୍ୟୁ ହେବା ପରେ ବନ ବିଭାଗ, ରେଳ ବିକାଶ ନିଗମ ଏବଂ ସେସୁ (ସାଉଥ ଇଲେକ୍ଟ୍ରିସିଟି ସପ୍ଲାଏ ୟୁନିୟନ)କୁ ଘଟଣା ପାଇଁ ଦାୟୀ ବୋଲି କୁହାଯାଉଛି। ତିନିଟି ବିଭାଗର ଅବହେଳା ଯୋଗୁଁ ଆଜି ରାତିରେ ହାତୀମାଙ୍କ ମୃତ୍ୟୁ ହୋଇଛି ବୋଲି ଆଲୋଚନା ହେଉଛି। ବନ ବିଭାଗ ପକ୍ଷରୁ ଘଟଣା ପାଇଁ ସେସୁକୁ ଦାୟୀ କରାଯାଇଛି। ଏହାରି ଭିତରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ରେଳ ବିକାଶ ନିଗମ, ବନ ବିଭାଗ ଏବଂ ସେସୁକୁ ରିପୋର୍ଟ ତଲକ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ରିପୋର୍ଟ ଆସିବା ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଜିଲ୍ଲାପାଳ ୩ଟି ବିଭାଗକୁ ରିପୋର୍ଟ ତଲବ କରିବା ପାଇଁ କହିଥିବା ବେଳେ ନିର୍ମାଣାଧୀନ କମ୍ପାନୀ ‘ରାହି ଇନ୍ଫ୍ରାଟେକ୍’ର ଜଣେ ଠିକାଦାରକୁ କଣ୍ଟାବଣିଆ ଥାନା ପୁଲିସ ଅଟକ ଅଛି।
‘ସେସୁ’କୁ ଦୋଷ ଦେଲା ବନ ବିଭାଗ
ହାତୀମାନଙ୍କ ମୃତ୍ୟୁ ନେଇ ପିସିସିଏଫ ସନ୍ଦୀପ ତ୍ରିପାଠୀ ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି। ହାତୀମାନେ ରେଳଧାରଣା ପାର ହେଉଥିବା ବେଳେ ଜୀବନ୍ତ ବିଦ୍ୟୁତ ତା’ଣ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁର ଶିକାର ହୋଇଥିଲେ। କାରଣ ବିଦ୍ୟୁତ ତା’ର ୧୭ ଫୁଟ ଉଚ୍ଚରେ ଯିବା ବଦଳରେ ୫ ଫୁଟ୍ ଉଚ୍ଚରେ ଯାଇଛି। ଦୀର୍ଘ ଦିନ ହେବ ଓହଳି ପଡ଼ିଥିବା ବିଦ୍ୟୁତ ତା’ର ଉପରେ ନଜର ଦିଆଯାଇ ନଥିଲା। ଡିଏଫ୍ଓ ସୁଦର୍ଶନ ପାତ୍ର କହିଛନ୍ତି, ବିଦ୍ୟୁତ ତା’ର ଓହଳି ପଡ଼ିବା ନେଇ ସେ, ସେସୁକୁ ଚିଠି ଲେଖିଥିଲେ ମଧ୍ୟ ବିପଦମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯାଇ ନଥିଲା।