ଜିଲ୍ଲାପାଳଙ୍କ ମିଳିତ  ଅଭିଯୋଗ ଶୁଣାଣି ଶିବିର

ଜୟପୁର: ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଜୟପୁର ଏସଡିପିଓ ହରିଶ ବି.ସି, ଉପଜିଲ୍ଲାପାଳ ବେଦବର ପ୍ରଧାନ, ‌ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ମଂଚାସୀନ ଥିଲେ। ଜୟପୁର ସମ୍ବା‌ରତୋଟାର ସୁଦର୍ଶନ ପଟ୍ଟନାୟକଙ୍କର ମୃତ୍ୟୁର ୩ମାସ ପରେ ବି ସେ ହରିଶ୍ଚନ୍ଦ୍ର ଯୋଜନା, ବିଧବା ଭତ୍ତା କିମ୍ବା ଜାତୀୟ ପରିବାର ମଙ୍ଗଳ ଯୋଜନାର ସହାୟତା ପାଇ ନଥିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ ରାଧା ପଟ୍ଟନାୟକ। ଆର୍ଥିକସ୍ଥିତି ଭଲ ନଥିବାରୁ ବହୁ ଅସୁବିଧାରେ ବଂଚି ରହିଥିବା ଏମାନେ ଜଣାଇଥିଲେ। ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଦେବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ସେଭଳି  ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ପାଇଁ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ରାଧା ପଟ୍ଟନାୟକଙ୍କୁ ବୁଝାଇଥିଲେ। ପୌରପାଳିକାର ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀଙ୍କୁ ଏ ନେଇ ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ। ସେଭଳି ଏହି ଶିବିରରେ ଆଉ ୩୪ଟି ବ୍ୟକ୍ତିଗତ ଓ ୧୧ଟି ଗୋଷ୍ଠୀଗତ ଅଭିଯୋଗ ଆସିବା ସହ ଏହାର ଶୁଣାଣୀ କରାଯାଇଥିଲା। ଏଥିରେ ଜମି ବିବାଦରୁ ଆରମ୍ଭ ହୋଇ ଗାଁରେ ପାନୀୟଜଳ, ରାସ୍ତା, ପକ୍କାଘର, ଭାରତମାଳା ରାସ୍ତା, ଶବ୍ଦ ପ୍ରଦୁଷଣ ସହ ପକ୍କାଘର ଯୋଗାଇବା ଆଦି ଅଭିଯୋଗ ଆସିଥିଲା। ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହାପାତ୍ର, ବିଡିଓ ରାଜୀବ ଦାଶ, ଏବିଡିଓ ମନୋଜ ନାୟକ, ତହସିଲଦାର ସାଗରିକା ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ସୁନିଲ କୁମାର ଜେନା, ରାବଣାଗୁଡା ସିଏଚସି ଅଧିକାରୀ ଡ. ଏ.ଚୈତନ୍ୟ ଙ୍କ ସହ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର