ସବୁ ଜିଲ୍ଲାପାଳଙ୍କୁ ଚିଠି, ୨୫ ସୁଦ୍ଧା ବର୍ଷା କ୍ଷୟକ୍ଷତି ଆକଳନ ନିର୍ଦେଶ

ଭୁବନେଶ୍ୱର : ଦୀର୍ଘ ୩ ଦିନ ଧରି ଲଗାଣ ବର୍ଷାରୁ ଆଜି ଆଶ୍ୱସ୍ତି ମିଳିଛି। ହେଲେ ଅଦିନିଆ ବର୍ଷା କିନ୍ତୁ ଚାଷୀର ଦୁଃଖ ବଢାଇ ଦେଇଛି କାହିଁ କେତେ ଗୁଣ। ମରୁଡି ଓ ଚକ଼଼ଡ଼ା ପୋକରୁ ବର୍ତିଯାଇଥିବା ଧାନ ଜମିର ଫସଲ ଏବେ ବର୍ଷା ପାଣି ଲହଡି ଭିତରେ ପହଁରୁଛି। ଅଧିକାଂଶ ସ୍ଥାନରେ କ୍ଷତି ଏତେ ଅଧିକ ଯେ ବିଲରେ ପଡିଥିବା ଧାନ ଆଉ ଖଳାକୁ ଆସିବା ସମ୍ଭବ ନୁହେଁ।

ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ଆଜି ସବୁ ଜିଲ୍ଲାପାଳଙ୍କୁ ଏକ ଜରୁରି ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ବଙ୍ଗୋପସାଗରରେ ଅବପାତ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୫ରୁ ୧୭ ତାରିଖ ଯାଏ ବର୍ଷା ହୋଇଛି। ଏଭଳି ଅଦିନିଆ ବର୍ଷା ଖରିଫ ଫସଲରେ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଏହାର ଗଭୀରତା କେତେ ଅଧିକ, ତାହା ବିଭିନ୍ନ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଲାଣି। ଗତ ୧୬ ତାରିଖ ଦିନ ଭିଡିଓ କନ୍‌ଫରେନ୍‌ସିଂରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଜମିର ହିସାବ ୭ ଦିନ ମଧ୍ୟରେ ଏସ୍‌ଆର୍‌ସିଙ୍କୁ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ଶ୍ରୀ ସେଠୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ଚାଷୀ ମରୁଡି ଓ ପୋକ ଆକ୍ରମଣରେ ଗଭୀର ପ୍ରଭାବିତ ହୋଇଛି। ହେଲେ ବର୍ତମାନ ଯେଉଁ ଅଦିନିଆ ବର୍ଷା ହେଲା ସେଥିରେ ୩୩ ପ୍ରତିଶତରୁ ଅଧିକ ପାଇଁ କ୍ଷତିଗ୍ରସ୍ତ ଚାଷୀ ଏସ୍‌ଡିଆର୍‌ଏଫ୍‌ ଅନୁସାରେ ଇନ୍‌ପୁଟ୍‌ ସବ୍‌ସିଡି ପାଇବାକୁ ହକ୍‌ଦାର। ଏଣୁ କେଉଁ କେଉଁ ଗାଁର ଜମି ଓ ନିର୍ଦିଷ୍ଟ କେତେ ଚାଷୀ ଅଦିନିଆ ବର୍ଷା ଯୋଗୁଁ ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଛନ୍ତି, ତାର ତାଲିକା ଆସନ୍ତା ୨୫ ତାରିଖ ସୁଦ୍ଧା ଜିଲ୍ଲାପାଳ ନିଶ୍ଚିତ ଦେବା ଦରକାର।

ଉଲ୍ଲେଖଯୋଗ୍ୟ, ଅଦିନିଆ ବର୍ଷା ପରିମାଣରେ ପୁରୀ, ଗଞ୍ଜାମ, ଗଜପତି ଠାରୁ ଆରମ୍ଭ କରି କେନ୍ଦ୍ରାପଡା, ଜଗତସିଂହପୁର ଯାଏ ଉପକୂଳବର୍ତୀ ପାଖାପାଖି ୧୬ଟି ଜିଲ୍ଲାରେ ଫସଲ ବ୍ୟାପକ ନଷ୍ଟ ହୋଇଛି। ବାଲୁଗାଁରେ ପାଣିରେ ଭିଜୁଛି ହେକ୍ଟର ହେକ୍ଟର ଫସଲ। ଯାଜପୁରରେ ମଧ୍ୟ ସମାନ ଅବସ୍ଥା। ଏସବୁ ଘଟଣା ଚାଷୀର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି।

ସମ୍ବନ୍ଧିତ ଖବର