ତୁଟୁନି ଜିଲ୍ଲା କଂଗ୍ରେସ ବିବାଦ! ପିସିସି ସଭ୍ୟ ନିଯୁକ୍ତିକୁ ବିରୋଧ

ରାଉରକେଲା: ରାଉରକେଲା କଂଗ୍ରେସ ଓ ଗୋଷ୍ଠି କନ୍ଦଳର ସୁଦୀର୍ଘ ଇତିହାସ ରହିଛି। ବିଶେଷକରି ଗତ କିଛି ବର୍ଷ ହେଲା କନ୍ଦଳ ବାଟରେ ପଡ଼ି ଘାଟରେ ଗଡ଼ୁଛି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଇସ୍ତଫାପରେ ଏଯାଏଁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିନି। ଦଳର ବରିଷ୍ଠ ସଦସ୍ୟ ଦେବବ୍ରତ ବିହାରୀଙ୍କୁ ଅନ୍ତରୀଣ ସଭାପତି ଦାୟିତ୍ବ ନ୍ୟସ୍ତ କରାଯାଇଛି। ତେବେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଚୟନକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ଦଳର ବରିଷ୍ଠ ସଦସ୍ୟଙ୍କୁ ଉପେକ୍ଷା କରି ଦଳ ବିରୋଧୀଙ୍କୁ ଅଗ୍ରାଧିକାର ଦେବାକକୁ ନାପସନ୍ଦ କରିଛନ୍ତି। ଅନ୍ତରୀଣ ସଭାପତି ଶ୍ରୀ ବିହାରୀଙ୍କ ହସ୍ତାକ୍ଷର ସମ୍ବଳିତ ଏକ ଅଭିଯୋଗପତ୍ର ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଛି। ଏଥିରେ ରାଉରକେଲା ଜିଲ୍ଲା କଂଗ୍ରେସରେ ଚାଲିଥିବା କନ୍ଦଳ ବିଷୟରେ ବିସ୍ତୃତଭାବେ ଉଲ୍ଲେଖ କରାଯାଇଛି।

ରାଜ୍ୟ ସଭାପତିଙ୍କୁ ରାଉରକେଲା ଅନ୍ତରୀଣ ସଭାପତିଙ୍କ ଅଭିଯୋଗ ପତ୍ର

କେନ୍ଦଳ ନାହିଁ, ଅଭିଯୋଗପତ୍ର ପଠାଯାଇନି: ଅନ୍ତରୀଣ ସଭାପତି

ଅନ୍ତରୀଣ ସଭାପତି ଶ୍ରୀ ବିହାରୀଙ୍କ ହସ୍ତାକ୍ଷର ସମ୍ବଳିତ ଏହି ଅଭିଯୋଗପତ୍ର ହସ୍ତଗତ ହୋଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ, ରାଉରକେଲା ସାଙ୍ଗଠାନିକ ଜିଲ୍ଲାର କେତେକ ଦଳ ବିରୋଧୀ କର୍ମକର୍ତ୍ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟଭାବେ ମନୋନୀତ କରାଯାଇଛି। ଏହା ହିଁ ରାଉରକେଲାରେ ଗୋଷ୍ଠିକନ୍ଦଳକୁ ଉସୁକାଉଛି। ଏହି ଅଭିଯୋଗପତ୍ରରେ ୫ ଟି ପ୍ରସଙ୍ଗରେ ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଉଲ୍ଲେଖ କରାଯାଇଛି, ପିସିସି ସଭାପତିଙ୍କ ନିକଟରେ ଯେଉଁ ସଭ୍ୟ ତାଲିକା ଦାଖଲ କରାଯାଇଛି, ତାହା ଅନ୍ତରୀଣ ସଭାପତିଙ୍କ ଦ୍ବାରା ଅନୁମୋଦିତ ନୁହେଁ।

ଦ୍ବିତୀୟତଃ, ପ୍ରଫୁଲ୍ଲ ସୁନାନୀ ହେଉଛନ୍ତି ସୁନ୍ଦରଗଡ଼ର ମୂଳ ନିବାସୀ। ତଥାପି ତାଙ୍କୁ କିଭଳି ରାଉରକେଲା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ପିସିସି ସଭ୍ୟ ପଦ ପ୍ରଦାନ କରାଯାଇଛି? ତୃତୀୟରେ, ଗତ ୨୦୧୯ ସାଧାରଣ ନିର୍ବାଚନବେଳେ ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ, ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଥିଲେ, ସେମାନଙ୍କୁ କିଭଳି ପିସିସି ସଭ୍ୟ ପଦ ପ୍ରଦାନ କରାଗଲା? ଚତୁର୍ଥରେ, ଗତ ଚାରି ଦଶନ୍ଧି ହେଲା ଦଳ ସହ ନିଷ୍ଠାପରଭାବେ ଯୋଡ଼ି ହୋଇଥିବା ନେତାଙ୍କୁ ଉପେକ୍ଷା କରି ଦଳ ବିରୋଧୀଙ୍କୁ ପୁରସ୍କାର ସ୍ବରୂପ ପିସିସି ସଦସ୍ୟ ପଦ ପ୍ରଦାନ କରାଗଲା କେମିତି? ପଞ୍ଚମରେ, ପିସିସି ସଦସ୍ୟତା ତାଲିକାରେ ବରିଷ୍ଠ ନେତା ଗଣେଶ ପ୍ରସାଦ ପ୍ରଧାନ, ଉମେଶ ଶରଣ, ସନ୍ତୋଷ ବିଶ୍ବାଳ, କୀର୍ତ୍ତନ ଦାସ, ସରୋଜ ଲେଙ୍କା, ଜ୍ଞାନେନ୍ଦ୍ର ଦାସ, ପ୍ରଶାନ୍ତ ସେଠୀ, ନିହାର ଦାସ, ପ୍ରଭାତ ମହାପାତ୍ରଙ୍କ ନାମ ରଖାଯାଇନାହିଁ।

ଏହି ବରିଷ୍ଠ ନେତାଙ୍କୁ ପିସିସିର ସହଯୋଗୀ ସଦସ୍ୟତା ପରିବର୍ତ୍ତେ ସ୍ଥାୟୀ ସଦସ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଛି। ଏନେଇ ଅନ୍ତରୀଣ ସଭାପତି ଶ୍ରୀ ବିହାରୀଙ୍କୁ ପଚାରିବାରୁ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି। କହିଛନ୍ତି, ଦଳ ଭିତରେ କୌଣସି କନ୍ଦଳ ନାହିଁ। ଏଣୁ କୌଣସି ପ୍ରକାର କନ୍ଦଳ ସର୍ମ୍ପର୍କିତ ଅଭିଯୋଗପତ୍ର ପଠାଯାଇନି। ଏ ସମ୍ପର୍କରେ ଗଣମାଧ୍ୟମକୁ ମୁଁ କୌଣସି ପ୍ରେସ୍‌ ଇସ୍ତାହାର ଦେଇନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର