ଭୁବନେଶ୍ବର: ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ଜିଲ୍ଲା ସଭାପତିଙ୍କୁ ବାଛିବ କଂଗ୍ରେସ। ଏଥିପାଇଁ ଏଆଇସିସି ପକ୍ଷରୁ ୩୫ଜଣିଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେପ୍ଟେମ୍ବର ୨ରେ ପର୍ଯ୍ୟବେକ୍ଷକମାନେ ଓଡ଼ିଶା ଗସ୍ତରେ ଆସିବେ। ସେମାନଙ୍କୁ ସହାୟତା କରିବା ଲାଗି ଏଆଇସିସି ପକ୍ଷରୁ ଆଜି ୧୦୫ଜଣିଆ ପିସିସି ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା ହୋଇଛି। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।
ଓଡ଼ିଶା କଂଗ୍ରେସର ୩୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ କରାଯିବ। ଗୋଟିଏ ଜିଲ୍ଲା ପାଇଁ ୩ଜଣ ଲେଖାଏଁ ପର୍ଯ୍ୟବେକ୍ଷଙ୍କୁ ଦାୟିତ୍ବ ଦିଆଯାଇଛି। ଗୋଟିଏ ଗୋଟିଏ ଜିଲ୍ଲାରୁ ୬ଜଣ ସମ୍ଭାବ୍ୟ ଜିଲ୍ଲା ସଭାପତିଙ୍କ ନାଁ ପର୍ଯ୍ୟବେକ୍ଷକ ସୁପାରିସ କରିବେ। ସାଙ୍ଗଠନିକ ଦକ୍ଷତା ଥିବା ଓ ଦଳ ପ୍ରତି ଆନୁଗତ୍ୟ ରଖିଥିବା ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ଚୟନରେ ଗୁରୁତ୍ବ ମିଳିବ। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ଉପସ୍ଥିତିରେ ଓଡ଼ିଶା ସମେତ ୪ରାଜ୍ୟର ସଂଗଠନ ସୃଜନ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା। ଦଳୀୟ ନେତାଙ୍କ ଦ୍ବାରା ପ୍ରଭାବିତ ନ ହୋଇ ଉପଯୁକ୍ତ ନେତୃତ୍ବଙ୍କ ନାଁ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟ କଂଗ୍ରେସରୁ ମିଳିଥିବା ସୂଚନା ଅନୁସାରେ, ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ଦିନ ସଭାପତି ଚୟନ ନେଇ ଯେଉଁ ବୈଠକ କିମ୍ବା ଆଲୋଚନା କରିବେ ସେସଂପର୍କରେ ଏକ ୱେବ୍ସାଇଟ୍ରେ ସବୁ ତଥ୍ୟ ଅପଲୋଡ୍ କରିବେ। ଯାହାଫଳରେ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ବିବାଦ ଉପୁଜିବ ନାହିଁ। ମୋଟାମୋଟି ଭାବେ ସଭାପତି ଚୟନରେ ସୁପାରିସ ଆଉ ଚାଲିବ ନାହିଁ। ତେବେ ୧୪ତାରିଖ ଭିତରେ ସଭାପତି ଚୟନ ପ୍ରକ୍ରିୟା ଶେଷ କରି ଏଆଇସିସିକୁ ରିପୋର୍ଟ ଦେବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/24/congress-2025-08-24-14-38-53.png)