କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସର ରଣହୁଙ୍କାର

ରାଜଗାଙ୍ଗପୁର (ସୁନ୍ଦରଗଡ଼): କେନ୍ଦ୍ରସରକାର ତୁରନ୍ତ କୃଷିବିଲ ପ୍ରତ୍ୟାହାର ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜଗାଙ୍ଗପୁର ତହସିଲ ଅଫିସ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯାଇଥିଲା। ସେଠାରେ ‘କୃଷକ ବଞ୍ଚାଅ, ଦେଶ ବଞ୍ଚାଅ’, ‘କରର୍ପୋରେଟ୍‌ ହଟାଓ’, ‘ଚାଷୀ ସର୍ବନାଶକାରୀ କୃଷି ବିଲ୍‌କୁ ପ୍ରତ୍ୟାହାର କର’ ଆଦି ନାରା ଦିଆ ଯାଇଥିଲା। ଉକ୍ତ ସଭାରେ ରାଉରକେଲା କଂଗ୍ରେସ ଜିଲ୍ଲା ସଭାପତି ଜର୍ଜ ତିର୍କୀ, ବୀରେନ ସେନାପତି, ରାଜଗାଙ୍ଗପୁର ବିଧାୟକ ଡ଼ା. ରାଜେନ ଏକ୍କା, ଜିଲ୍ଳା ସଭାପତି ବେଣୁମାଧବ ତ୍ରିପାଠୀ ଓ ପୂର୍ବତନ ତଳସରା ବିଧାୟକ ଡ଼ା. ପ୍ରଫୁଲ୍ଲ ମାଝୀ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଚାଷୀ ବିଲ୍‌ ସଂର୍ପକରେ ସୂଚନା ପ୍ରଦାନ କରିଥିଲେ। ଚଳିତ ବର୍ଷ ଦେଶରେ ହୋଇଥିବା ଲକ୍‌ଡ଼ାଉନ୍‌ ସମୟରେ ସାଂସଦ ଜୁଏଲ ଓରାମଙ୍କର ଅନୁପସ୍ଥିତିର ଉଚିତ ଜବାବ ଅଞ୍ଚଳବାସୀ ଆଗାମୀ ଦିନରେ ଦେବେ ବୋଲି ଜର୍ଜ ତିର୍କୀ ବିଷୋଦ୍‌ଗାର କରିଥିଲେ।

ବିଜେପି ସରକାର ଦେଶରେ ଥିବା କର୍ପୋରେଟମାନଙ୍କ ସ୍ବାର୍ଥ ପାଇଁ ଏହି ବିଲ୍‌ ଆଣିଛନ୍ତି ବୋଲି ରାଜଗାଙ୍ଗପୁର ବିଧାୟକ ଡ଼ା. ଏକ୍କା କହିଥିଲେ। ସେ ଆହୁରି କହିଥିଲେ, କେନ୍ଦ୍ରରେ ଥିବା ବିଜେପି ସରକାର ଅତ୍ୟାବଶ୍ୟକ ଜିନିଷ ଉପରେ ସେବା ଆଇନ ପ୍ରତ୍ୟାହାର ହଟାଇବାରୁ ସେହିଗୁଡ଼ିକର ଦର ଆଜି ଆକାଶଛୁଆଁ ହୋଇଛି। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍‌ର ରାଧା ବରୁଆ, ରିଲାସୁଶୀଲା ଟପ୍ପୋ, ବିଜୟ ଲାକଡ଼ା, ଅଞ୍ଜଳି ଏକ୍କା, ଅଜିତ ଏକ୍କା, ପ୍ୟାରି କାଣ୍ଡୁଲୁନା, ବିଜୟ ସା, ହୃଦୟା ସିଂହ, ରମେଶ ପାତ୍ର, ଅମ୍ବିକା ମହାନ୍ତି, ଏମଡ଼ି ଫଇମ, ଇକବାଲ ମଲ୍ଲିକ, ଏମଡ଼ି ଇଜାଜ, ଜୋସେଫ ଖୋସ, ଲାଲମା ଲାକଡ଼ା, ଚିନ୍ତାମଣି ସାହୁ ଓ ଲାଲମା ଏକ୍କା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଅରୁଣ ସାମଲ ସଭା ପରିଚାଳନା କରିଥିଲେ। ଶେଷରେ ରାଜଗାଙ୍ଗପୁର ବିଧାୟକ ଡ଼ା ରାଜେନ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ବିଲ୍‌କୁ ପ୍ରତ୍ୟାହାର ପାଇଁ ତହସିଲଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର