ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ବୟ ଓ ତଦାରଖ କମିଟି ବୈଠକ ଗୁରୁବାର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିକାଶ ପାଇଁ ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହିବା ଜରୁରି ବୋଲି ସାଂସଦ ଶ୍ରୀମତୀ ସିଂହଦେଓ ମତ ପ୍ରକାଶ କରିଥିଲେ। ଏପରିକି ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ସାଂସଦ ଶ୍ରୀମତୀ ସିଂହଦେଓ ଗୁରୁତ୍ବାରୋପ କରିଥିଲେ। ମନରେଗା ଯୋଜାନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଗତ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୮୦୪.୦୪ ଲକ୍ଷ ଖର୍ଚ୍ଚ କରାଯିବା ସହିତ ୩ ଲକ୍ଷ ୬୪ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି।
ସେହିପରି ମୋଟ୍ ୧୬ ହଜାର ୧୩୬ ପ୍ରକଳ୍ପ ମଧ୍ୟରୁ ୨ ହଜାର ୬୬୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି। ୨୦୧୬-୨୦୧୭ ଆର୍ଥିକ ବର୍ଷରୁ ୨୦୨୦-୨୦୨୧ ଆର୍ଥିକ ବର୍ଷ ଜିଲ୍ଲାରେ ୫୭ ହଜାର ୨୧୦ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ନିର୍ମାଣ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ତନ୍ମଧ୍ୟରୁ ଗତ ୭ ତାରିଖ ପର୍ଯ୍ୟନ୍ତ ୪୯ ହଜାର ୭୭୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସମ୍ପୂର୍ଣ୍ଣ ହୋଇଛି। ୭ ହଜାର ୪୩୮ଟି ଗୃହ ଅସମ୍ପୂର୍ଣ୍ଣ ରହିଛି। ଏଥିପାଇଁ ୭୩୪ କୋଟି ୭୩ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ୬୭୭ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି। ଜିଲ୍ଲାରେ ୧୫୯ଟି ଚିକିତ୍ସକଙ୍କ ମଧ୍ୟରୁ ୭୯ ଜଣ ଚିକିତ୍ସକ ଥିବା ବେଳେ ୮୦ ଟି ଚିକିତ୍ସକ ପଦ ଖାଲି ପଡ଼ିଥିବା ସୂଚନା ଦିଆଯାଇଛି।
ଏହି ବୈଠକରେ ଜିଲ୍ଲାରେ ନିର୍ମାଣାଧୀନ କିଛି ପ୍ରକଳ୍ପରେ ସୂଚନା ଫଳକ ଲାଗିନଥିବାରୁ କେଉଁ ଅନୁଦାନରୁ କାମ ହେଉଛି ଜଣାପଡୁ ନଥିବା କିଛି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ସେହିପରି ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ ଜିଲ୍ଲାରେ ଏକ ଡିୟରପାର୍କ ନିର୍ମାଣ କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବନ ବିଭାଗ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଜାତୀୟ ଗ୍ରାମୀଣ ଜୀବିକା ମିସନ, ଜାତୀୟ ସ୍ବାସ୍ଥ୍ୟ ମିସନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପୂର୍ତ୍ତ ବିଭାଗ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ସମଗ୍ର ଶିକ୍ଷା, ସମନ୍ବିତ ଶିଶୁ ବିକାଶ ଯୋଜନା, ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ତଥା ଉଦ୍ୟାନ କୃଷି, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ତେଲ ଜଳସେଚନ, ମେଗା ଉଠା ଜଳସେଚନ, ପିଏମଇଜିପି, ବୟନଶିଳ୍ପ, ମତ୍ସ୍ୟ ବିଭାଗ ଆଦି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏଥିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ପିଡି ଡିଆର୍ଡିଏ ଡୋଳାମଣି ପଟେଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଶ୍ବରଞ୍ଜନ ପତି, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା, ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ, କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ବର ଖାଖା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମେଶ ଦେହୁରୀ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଚତୁର୍ଭୁଜ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ବଳଭଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରିମଣୀ ହାଁସଦା, ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଉଦିତ ବାବୁ, ସୋନପୁର ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇନ୍ଦ୍ରଜିତ ସାହୁ, ସୋନପୁର ପୌର ଅଧିକାରୀ ସୂର୍ଯ୍ୟାଂଶୁ ରୁଟ ତଥା ବିଭିନ୍ନ ବିଭାଗର ଅଧିକାରୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ ଓ ଜିଲ୍ଲା ସମନ୍ବୟ ଓ ତଦାରଖ କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/22-5.jpg)