ପୁରୀ/ନିମାପଡ଼ା : ପୁରୀ ଜିଲ୍ଲା ୧୧ ନଂ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏ ନେଇ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବିବାଦୀୟ ହୋଇ ପଡ଼ିଛନ୍ତି। ଏଭଳି ବିବାଦୀୟ ସ୍ଥିତିରେ ନିମାପଡ଼ାରେ ଆଜି ୩୦ ହଜାର ମହିଳାଙ୍କୁ ନେଇ ବିଜେଡି ମହିଳା ସମ୍ମିଳନୀର ଆୟୋଜନ କରିଛି। ଏହାକୁ ଦୃଢ଼ ବିରୋଧ କରିଛି ରାଜ୍ୟ ବିଜେପି। ଏହାର ପ୍ରତିବାଦରେ ଆଜି ରାଜ୍ୟ ବିଜେପି ପୁରୀ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛି। ମିସନ ଶକ୍ତି ଅଧୀନରେ କାମ କରୁଥିବା ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଜେଡିର ଦଳୀୟ ରଙ୍ଗର ଶାଢ଼ି, ଦଳୀୟ ପତାକା ସହ ସମ୍ମିଳନୀରେ ଯୋଗଦେବାକୁ ଚାପ ପ୍ରୟୋଗ କରାଯାଇଥିବା ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୂପ ନିମାପଡ଼ା ନିର୍ବାଚନମଣ୍ଡଳୀର ଶହେ ଜାଗାରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କୁଶପୁତ୍ତଳିକା ଦାହ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

Advertisment

ସୂଚନା ଅନୁସାରେ, ବିରୋଧୀ ଦଳକୁ କଡ଼ା ଜବାବ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ବରେ ନିମାପଡ଼ାରେ ଅନୁଷ୍ଠିତ ହେବାକୁ ଯାଉଛି ମହିଳା ମହାସମାବେଶ। ବିଜେଡିର ପଦଯାତ୍ରା ଅବସରରେ ଆସନ୍ତାକାଲି ମଧ୍ୟାହ୍ନରେ ସ୍ଥାନୀୟ ବାରବାଟୀ ପଡ଼ିଆରେ ୩୦ ହଜାର କର୍ମୀଙ୍କୁ ନେଇ ଏହି ମହାସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ବିଜେଡିର ରାଜ୍ୟ ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭିଡ଼କୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କ ସହ ୫ ଜଣ ଇନ୍ସପେକ୍ଟର, ୨୦ ଜଣ ସବ୍‌ଇନ୍ସପେକ୍ଟର, ୩ ପ୍ଲାଟୁନ ‌ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ, ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶହେଟି ସ୍ଥାନ‌ରେ କୁଶପୁତ୍ତଳିକା ଦାହ ପାଇଁ ନିଷ୍ପତ୍ତି ନିଆଯାଇଛି। ଏସମ୍ପର୍କରେ ଦଳର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସାରାରାଜ୍ୟରେ ଏବେ ନିଆଁ ଲାଗିଛି। ମୃତ୍ୟୁ ପୂର୍ବରୁ ସ୍ବର୍ଗତ ସାହୁ ତାଙ୍କର ବନ୍ଧୁ ଓ ସଂପର୍କୀୟଙ୍କୁ ଯେଉଁ ଜମାନବନ୍ଦୀ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି କି ଗଣଶିକ୍ଷା ମନ୍ତ୍ରୀ, ବିନ୍ଦାସ ଚିନୁ ଭଳି ଅନେକ ସ୍ବର୍ଗତ ସାହୁଙ୍କ ମୃତ୍ୟୁ ପଛରେ ସଂପୃକ୍ତ ରହିଛନ୍ତି। ଏଭଳି ସ୍ଥିତିରେ ବିଜେଡି ଓଡ଼ିଶାର ୧୪୭ ନିର୍ବାଚନମଣ୍ଡଳୀର ଅନ୍ୟ କୌଣସି ଜାଗାରେ ମହିଳା ସମ୍ମିଳନୀ ନ କରି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଖୁବ୍‌ଶୀଘ୍ର ଧର୍ମେନ୍ଦ୍ରଙ୍କ ମୃତ୍ୟୁର ସତ ଖୁଲାସା କରିବେ ବୋଲି କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ରାଜ୍ୟ ଉପସ‌ଭାନେତ୍ରୀ ଅନିତା ପ୍ରିୟଦର୍ଶିନୀ, ଜାତୀୟ ମହିଳା ମୋର୍ଚ୍ଚା ସଂପାଦକ ଐଶ୍ବର୍ଯ୍ୟା ବିଶ୍ବାଳ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରଶ୍ମିମୟୀ ପଟ୍ଟନାୟକ, ସୁଭାଷିନୀ ପୃଷ୍ଟି, ଭୁବନେଶ୍ବର ଜିଲ୍ଲା ଉପସଭାନେତ୍ରୀ ତୃପ୍ତି ମକଡ଼ମ, ସୁରଚିତା ଜେନାମଣି, ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଉପସଭାନେତ୍ରୀ ମନସ୍ବିନୀ ଦାଶ, ସବିତା ପୃଷ୍ଟି, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ଉମାକାନ୍ତ ନାୟକ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଜୟନ୍ତ କୁମାର ଦାଶ, ଅନିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।