ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ବର : ନିମାପଡ଼ା ବ୍ଲକର ୧୧ ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ। କୋର୍ଟ ପରିଚାଳନାରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହାର ତଦନ୍ତ। ତେବେ ନିରପେକ୍ଷ ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍‌ର ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଲେ, ସ୍ୱର୍ଗତ ସାହୁ ଛାଡ଼ି ଯାଇଥିବା ଅଡିଓରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ପ୍ରଶ୍ନ ଉଠିଛି। ଚଳିତମାସ ୨୫ ତାରିଖରେ ପିସିସିର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେପ୍ଟେମ୍ବର ୮ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମନ୍ତ୍ରୀ ଶ୍ରୀ ଦାସଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଣୁ କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବି ପ୍ରତି ଯଦି ରାଜ୍ୟ ସରକାର ନିରବ ରହୁନ୍ତି, ତାହାଲେ କଂଗ୍ରେସ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ।
ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର କୁମାର ସେଠୀ କହିଥିଲେ, ପିସିସି ପ୍ରତିନିଧି ଦଳକୁ ଦେଇଥିବା ପ୍ରତିଶ୍ରୁତି ପୁଲିସ ପାଳନ କରିନାହିଁ। ତଦନ୍ତକାରୀ ଅଫିସରଙ୍କୁ ଥାନାରେ ହଟାଇବା ପରିବର୍ତେ କେବଳ ତାଙ୍କଠାରୁ ତଦନ୍ତ ଦାୟିତ୍ୱ ଆଉ ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ହେଲେ ସେ ଏବେ ବି ଧଉଳି ଥାନାରେ ଅଛନ୍ତି ଓ ତଦନ୍ତ କାର୍ଯ୍ୟରେ ସାମିଲ ହେଉଛନ୍ତି। ସ୍ୱର୍ଗତ ସାହୁ ଅର୍ଥହୀନ ଥିଲେ ବୋଲି ଯାହା କୁହାଯାଉଛି ଏଥିରେ ସତ୍ୟତା ନାହିଁ। ୧୫ ଦିନ ତଳେ ଜମି ବିକି ସେ ୬୫ଲକ୍ଷ ପାଇଥିଲେ। ସିସିଟିଭି ଫୁଟେଜ୍‌ରୁ ତାଙ୍କ ମୃତ୍ୟୁର ପ୍ରାୟ ଦୁଇ ଘଣ୍ଟା ପରେ ପାଚେରୀ ଡେଇଁ ପଳାଇଥିବା ବ୍ୟକ୍ତି ଜଣକ କିଏ ବୋଲି ସେ ପ୍ରଶ୍ନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର