ଭୁବନେଶ୍ବର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ କମିସନରେଟ୍‌ ପୁଲିସ୍‌ ରବିବାର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ପାଖାପାଖି ୩ ଘଣ୍ଟା ଜେରା କରିଛି। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ତାଙ୍କୁ କେତେବେଳେ ଫୋନ୍ କରିଥିଲେ ଓ କ’ଣ କଥା ହୋଇଥିଲେ, ସେ ସଂପର୍କରେ ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ପୁଲିସର ସବୁ ପ୍ରଶ୍ନର ଟିକିନିଖି ଉତ୍ତର ଦେଇଥି‌ଲେ ଅକ୍ଷୟ। ଏହାବ୍ୟତୀତ ସେ ପୁଲିସ୍‌କୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି, ଯାହାକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ିବ ବୋଲି ଜଣାପଡ଼ଇଛି।

Advertisment

ଡିସିପି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ଅକ୍ଷୟ କହିଛନ୍ତି ଯେ ବିନ୍ଦାସ ଚିନୁ ଓ ଅଡିଓ କ୍ଲିପ୍‌, ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପଛର ପ୍ରକୃତ ଗୁମର ଖୋଲିବ। କମିସନରେଟ୍‌ ପୁଲିସ ଚିନୁଙ୍କୁ ତଦନ୍ତ ପରିସରଭୁକ୍ତ କରୁ ବୋଲି ସେ ଦାବି କରିଛନ୍ତି। ସେମିତି ଅଡିଓ କ୍ଲିପ୍‌କୁ ଭଲ ଭାବେ ଯାଞ୍ଚ କରାଯାଉ। ଏହି ଦୁଇଟି ଦିଗରେ ପୁଲିସ ତଦନ୍ତ କଲେ ପ୍ରକୃତ ଅପରାଧୀ କିଏ, ପଦାକୁ ଆସିବ। ଧର୍ମେନ୍ଦ୍ରଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ବେଳେ ସେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଦର୍ଶାଇଥିଲେ ବୋଲି ଅକ୍ଷୟ କହିଛନ୍ତି। ଅକ୍ଷୟ କହିଛନ୍ତି ଯେ ବିନ୍ଦାସ୍‌ ଚିନୁ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପର୍କୀୟ ଭାଣିଜୀ। ତାଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରାଗଲେ, ଅନେକ ରହସ୍ୟ ଉପରୁ ପରଦା ହଟିବ।

ମୃତ୍ୟୁ ଦିନ, ରାତି ପାଖାପାଖି ସାଢ଼େ ୧୨ଟାରେ ଅକ୍ଷୟଙ୍କ ସହ ଧର୍ମେନ୍ଦ୍ର ପାଖାପାଖି ଘଣ୍ଟାଏ କାଳ କଥା ହୋଇଥିଲେ। ଅକ୍ଷୟଙ୍କୁ ସେ କହିଥିଲେ ଯେ ମୁଁ ଯାହା କହୁଛି ଶୁଣ, ମୋତେ କିଛି ପଚାରନି। ମୋ କଥାର ରେକର୍ଡିଂ କର। ମୋ ଆତ୍ମାକୁ ଶାନ୍ତି ମିଳିବ। ସେ କଥା କହିବା ଭିତରେ ବାରମ୍ବାର ମନ୍ତ୍ରୀ ସମୀର ଦାଶଙ୍କ ନାଁ ନେଇଥିଲେ। ତାଙ୍କ ପରିବାର ଓ ଚିନୁଙ୍କ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ବୋଲି ଅକ୍ଷୟ କହିଛନ୍ତି। ସମସ୍ତ କଥାର ରେକର୍ଡିଂ ମଧ୍ୟ ରହିଛି। ସମ୍ପୂର୍ଣ୍ଣ ରେକର୍ଡିଂ ସେ କାହାରିକୁ ଦେଇନାହାନ୍ତି, ତାହା ପୁଲିସ ତଦନ୍ତ ପାଇଁ ରହିଛି। ‌ସେଥିରେ ଯେତିକି ତଥ୍ୟ ଅଛି, ପୁଲିସ୍‌ ତଦନ୍ତରେ ନିଶ୍ଚିତ ସହାୟକ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ‌ଅକ୍ଷୟଙ୍କୁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏସିପି ଭରତ ସାହୁ ନୋଟିସ୍‌ କରିଥିଲେ। ନୋଟିସ୍‌ ପାଇବା ପରେ ଆଜି ଦିନ ସାଢ଼େ ୧୧ଟାରେ ଡିସିପିଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଠାରେ ତାଙ୍କୁ ପାଖାପାଖି ୩ ଘଣ୍ଟା କାଳ ମାରାଥନ ଜେରା କରାଯାଇଥିଲା। ଜଣେ ଅତିରିକ୍ତ ଡିସିପି ରୢାଙ୍କ୍‌ର ଅଧିକାରୀ ଏବଂ ଜଣେ ଏସିପି ବିଭିନ୍ନ ଦିଗ ଉପରେ ଗୁଡେଇତୁଡ଼େଇ ପ୍ରଶ୍ନ କରିଥିଲେ। ସେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିବା କହିଛନ୍ତି। ତଦନ୍ତ ପାଇଁ ସେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।