ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ପତ୍ନୀ ଓ ପୁଅଙ୍କୁ ପଚରାଉଚରା

ଫୋରେନ୍‌ସିକ ଲାବରୋଟାରି ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ବର/ଧଉଳି : ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଓରଫ ଟୁକୁନାଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ। ମୃତ୍ୟୁ ଘଟଣାକୁ ଦୁଇଦିନ ବିତିଲାଣି, କିନ୍ତୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପୁଲିସ ଜବତ କରିଥିବା ମୋବାଇଲ ଫୋନ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ରିପୋର୍ଟ ଆସିବା ପରେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇଯିବ।

ଅନ୍ୟପଟେ ରବିବାର ସଂଧ୍ୟାରେ ଥାନା ଇନ୍‌ସ୍‌ପେକ୍ଟର ଚିତ୍ତରଞ୍ଜନ ରାଉତଙ୍କ ସମେତ ଅତିରିକ୍ତ ଡିସିପି ପ୍ରକାଶ ପାଲ ଓ ଜଣେ ମହିଳା ପୁଲିସ ଅଧିକାରୀ ପ୍ରମୁଖ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ପତ୍ନୀ କସ୍ତୁରିବାଳା, ନାବାଳକ ପୁଅ, ତରୁଣ କୁମାର ଓ ରୋଷେୟା, ତାଙ୍କ ସହ ରହୁଥିବା ସଂପର୍କୀୟ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉରା କରିଥିଲେ। ତାଙ୍କ ମାନସିକ ଅଶାନ୍ତିର କାରଣ କ’ଣ ଥିଲା? କେତେ ଦିନ ହେଲା ସେ ବିବ୍ରତ ଥିଲେ? ମୋବାଇଲ ଫୋନରେ ଥିବା ରହସ୍ୟ ସଂପର୍କରେ ପରିବାର ଲୋକଙ୍କୁ ସେ ସୂଚନା ଦେଇଥିଲେ କି ନାହିଁ? ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସହ ଘଟଣା ଦିନ ରାତିରେ ଘରେ କିଏ କିଏ ଥିଲେ ଆଦି ପ୍ରସଙ୍ଗ ଉପରେ ପଚରାଉଚରା କରିଥିଲା ପୁଲିସ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ଏକ ପରିତ୍ୟକ୍ତ ସ୍ଥାନରୁ ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିଥିଲା। ଘଟଣାସ୍ଥଳରୁ ପୁଲିସ ୧୮ ହଜାର ଟଙ୍କା ସହିତ ତାଙ୍କର ସ୍ମାର୍ଟ ୱାଚ୍‌, ମୋବାଇଲ କଭର ଜବତ କରିଥିଲା। ଉଦ୍ଧାର ଫୋନ୍‌ ଦୁଇଟି ଧର୍ମେନ୍ଦ୍ର ବ୍ୟବହାର କରୁଥିଲେ ବୋଲି ତାଙ୍କ ପତ୍ନୀ କସ୍ତୁରିବାଳା ସ୍ବାଇଁ ମଧ୍ୟ ଚିହ୍ନଟ କରିଥିଲେ। ପ୍ରଶ୍ନ ଉଠୁଛି, ଘଟଣା ଘଟିଥିବା ସ୍ଥାନଠାରୁ ୧୦୦ ଫୁଟ୍‌ ଦୂରରେ ବୁଦାମୂଳକୁ ମୋବାଇଲ ଫୋନ୍‌ ଫିଙ୍ଗିଲା କିଏ? ବଡ଼ କଥା ହେଉଛି, ମୋବାଇଲରେ ଥିବା ଭିଡିଓ ଜରିଆରେ ସମସ୍ତ ଘଟଣା ପଦାକୁ ଆସିବା ଦରକାର ବୋଲି ନିଜେ ଧର୍ମେନ୍ଦ୍ର ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥିବା ଭିଡିଓରେ କହିଥିଲେ। କେହି ସନ୍ଦିଗ୍ଧ ଅଭିଯୁକ୍ତ ଧରାପଡ଼ିଯିବା ଭୟରେ ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ଯୋଜନା କରିଥିବା ପୁଲିସ ଅନୁମାନ କରୁଛି। ଫୋନ୍‌ ଦୁଇଟି ଧର୍ମେନ୍ଦ୍ରଙ୍କର ବୋଲି ଚିହ୍ନଟ ହେବା ପରେ ସେଥିରେ ଥିବା ଭିଡିଓ ଓ ସବିଶେଷ ଡାଟା ଡାଉନଲୋଡ୍‌ କରିବା ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନସିକ ଲାବରେଟୋରିକୁ ପଠାଯାଇଥିବା ଥାନା ଅଧିକାରୀ ଶ୍ରୀ ରାଉତ କହିଛନ୍ତି। ଯଦି ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ, ତେବେ ସେ ନିଜ ମୋବାଇଲ ଫୋନ୍, ଟଙ୍କା, ସ୍ମାର୍ଟ ୱାଚ୍ ଘର ବାହାରେ ଫୋପାଡ଼ିଥିଲେ କାହିଁକି ବୋଲି ପ୍ରଶ୍ନ ଉଠିଛି।

ଅନ୍ୟ ଜଣେ ଉପରିସ୍ଥ ଅଧିକାରୀଙ୍କ ସୂଚନା ଅନୁସାରେ, ଧର୍ମେନ୍ଦ୍ରଙ୍କ ମୋବାଇଲ୍‌ର କଲ-ଡିଟେଲ୍ସ ରିପୋର୍ଟ ମଧ୍ୟ ମଗାଯିବ। ଧର୍ମେନ୍ଦ୍ର ମୃତ୍ୟୁର ପୂର୍ବଦିନ କାହା କାହା ସହିତ କଥା ହୋଇଥିଲେ, ଶେ‌ଷ କଲ୍‌ଟି କାହାକୁ ଥିଲା, ତାହାର ଯାଞ୍ଚ ହେବ। ଯେଉଁମାନଙ୍କ ସହ ଧର୍ମେନ୍ଦ୍ର କଥା ହୋଇଥିଲେ, ତାଙ୍କୁ ପୁଲିସ ପଚରାଉଚରା କରିବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କସ୍ତୁରିବାଳା ଥାନାରେ କରିଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରିଛି। ଅଭିଯୋଗରେ କସ୍ତୁରିବାଳା ଏଭଳି ଦୁଃଖଦ ପରିସ୍ଥିତି ସମୟରେ ତାଙ୍କୁ ଅପମାନିତ କଲା ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ତେଣୁ ପୁଲିସ ମୋବାଇଲ ଫୋନରେ ଥିବା ଗୁପ୍ତ ରହସ୍ୟକୁ ପଦାକୁ ଆଣିବା ସହ ଅଭିଯୁକ୍ତ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆଜି ଧଉଳି ପୁଲିସ ଧର୍ମେନ୍ଦ୍ରଙ୍କ ନିଜ ଗ୍ରାମ ଗୋପ ଥାନା ଅଧୀନ ଖଣ୍ଡିଆପଦା ଗାଁକୁ ଯିବ। ସେଠାରେ ତାଙ୍କର ଭାଇ ଓ ମାଆଙ୍କୁ ପଚରାଉଚରା କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର