କାଳିଆପାଣି: ଜମିବାଡ଼ି ବିବାଦରୁ ରାମରାଇ ମୁଣ୍ଡା(୫୬)ଙ୍କୁ ତୀରମାରି ହତ୍ୟା କରିବା ବେଳେ ଫୋନରେ ଝିଅ ସୁକିନ୍ଦା ବ୍ଲକ୍ ଜୋନ୍-୩୭ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖିଙ୍କୁ ଚିତ୍କାର ଶୁଣାଇଥିଲା ଅଭିଯୁକ୍ତ। ଝିଆରୀ ଓ ଅନ୍ୟ ୩ ଜଣ ଶ୍ରିମକଙ୍କୁ ନେଇ ଗତକାଲି ତେଲକୋଇ ଥାନା କାଳିଆହତା ପାଖ ତିଗିରିଆରେ ଧାନକ୍ଷେତରେ ରାମରାଇ କାମ କରୁଥିଲାବେଳେ ପୁତୁରା ଦାସ ମୁଣ୍ଡା (୩୦) ୩ଟି ତୀର ବିନ୍ଧିଥିଲା। ୨ଟି ତୀର ରାମରାଇଙ୍କ ଛାତିରେ ଗଳି ଯାଇଥିଲା। ମୃତ୍ୟୁ ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଦାସ ଜଗି ରହିବା ସହ ଘଟଣାସ୍ଥଳରୁ ଜେମାଙ୍କୁ ୧୨ଟା ୦୧ ମିନିଟ୍ରୁ ୧୨ଟା ୪୦ ପର୍ଯ୍ୟନ୍ତ ମୋବାଇଲ୍ରେ ଫୋନ୍ରେ ରାମରାଇଙ୍କ ଚିତ୍କାର ଶୁଣାଇଥିଲା। ତାଙ୍କୁ ରକ୍ଷା କରିବାକୁ ରାମରାଇ ପ୍ରାଣ ବିକଳରେ ନେହୁରା ହେଉଥିଲେ ମଧ୍ୟ ଅଭିଯୁକ୍ତ କିଛି ଶୁଣି ନଥିଲା। ଛଟପଟ ହେଉଥିବା ବେଳେ ତାଙ୍କ ଛାତିରୁ ୨ଟିଯାକ ତୀର ଝିଙ୍କି ଆଣିଥିଲା। ପ୍ରତ୍ୟକ୍ଷଦର୍ଶୀ ସଂପର୍କୀୟ ଭଉଣୀ ନେହୁରା ହୋଇଥିଲେ ବି ଅଭିଯୁକ୍ତ କିଛି ଶୁଣି ନଥିଲା। ଦାଦାର ମୃତ୍ୟୁ ହେବା ପରେ ଶବ ଢାଙ୍କିବାକୁ ନୂଆ ଲୁଗା ଧରି ପହଞ୍ଚିବାକୁ କହି ଫୋନ୍ କାଟିଥିଲା। ପରେ ରାମରାଇଙ୍କ ପ୍ୟାଣ୍ଟ୍ ପକେଟ୍ରୁ ଚାବି ନେଇ ତାଙ୍କ ବାଇକ୍ରେ ଘରକୁ ଯାଇଥିଲା। ଘରେ ରକ୍ତଲଗା ତୀର ରଖି ଥାନାରେ ଆତ୍ମସମର୍ପଣ କରିଥିଲା।
ରାମରାଇ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ଡିକ୍ବାରି କେଟିଏଲ୍ କମ୍ପାନିରେ ୩୮ ବର୍ଷ ଧରି ନିରାପତ୍ତାରକ୍ଷୀ ଥିଲେ। ସେମାନେ ୪ ଭାଇ ରାମ, ଗାନେ, ଯଦୁ ଓ ରାମରାଇ। ସେ ଦୀର୍ଘବର୍ଷ ଏଠାରେ ରହୁଥିବାରୁ ଗାଁରେ ଥିବା ୩ ଭାଇ ପୈତୃକ ଜମିକୁ ଚାଷ କରୁଥିଲେ। ଚାକିରି ପରେ ରାମରାଇ ଗତବର୍ଷ ଗାଁରେ ନୂଆ ଘର ତୋଳିଥିଲେ। ଜମି ଭାଗବଣ୍ଟାରେ ଯଦୁ ମୁଣ୍ଡାଙ୍କ ପରିବାର ପ୍ରଭାବିତ ହେବାରୁ ବିବାଦ ହୋଇଥିଲା। ଯଦୁ ଓ ତାଙ୍କ ୩ ପୁଅ ସିଧୁ, ଦାସ ଓ ପୀତ ମିଶି ରାମରାଇ ଓ ଜେମାଙ୍କୁ ହତ୍ୟା ଯୋଜନାକରି ଜାଗାବାଡ଼ି ହଡ଼ପ ମସୁଧା କରିଥିଲେ। ଆଜି ସନ୍ଧ୍ୟାରେ କାଳିଆପାଣିସ୍ଥିତ ନିଜ ଘରେ ମୃତଦେହ ପହଞ୍ଚିବା ପରେ ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର, ପତ୍ନୀ ହିମାଦ୍ରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ବ୍ଲକ୍ ବିଜେଡି ସଭାପତି ବିବେକାନନ୍ଦ ବୋଷ, ସରପଞ୍ଚ ବିକାଶ କୁମାର ପାତ୍ର, ସମିତିସଭ୍ୟ ସାଲୁକା ହନହାଗା ଓ ଶତାଧିକ ଟାଉନସିପ କଲୋନିବାସୀ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଘରପଛ ଅଗଣାରେ ଅନ୍ତିମ ସଂସ୍କାର କରାଯାଇଥିଲା। ରାମରାଇଙ୍କ ପତ୍ନୀ, ଝିଅ ରୋଜାଲିନ(୧୨) ଓ ପୁଅ ଓମ୍ପ୍ରକାଶ(୧୦) ଅଛନ୍ତି।