ଜିଲ୍ଲା ପାଇଁ ୩ ଗାଡ଼ି, ୩୨ କର୍ମଚାରୀ, ବିନା ଗାଡ଼ିରେ ଚାଲିଛି ଭୁବନେଶ୍ବର ରେଞ୍ଜ ଅଫିସ୍

୨୬ ବର୍ଷ ହେଲା ଭଡ଼ା ଘରେ ଚାଲିଛି ଅଧୀକ୍ଷକଙ୍କ କାର୍ଯ୍ୟାଳୟ
ଏମିତି ଚାଲିଛି ଚୋରା ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଖୋର୍ଦ୍ଧା ଜିଲ୍ଲାର ରାଜସ୍ବ ବର୍ଷକୁ ୫୦ କୋଟି

ଭୁବନେଶ୍ବର : ସାରା ରାଜ୍ୟରେ ଦେଢ ମାସ ଧରି ଜାରି ରହିଛି ଲକଡାଉନ୍। ରାଜ୍ୟବ୍ୟାପୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ରହିଥିବା ବେଳେ ମଦ ମାଫିଆଙ୍କ ରାଜ୍ ଚାଲିଛି। ସହରଠାରୁ ଆରମ୍ଭ କରି ଗାଁ ଗାଁରେ ଚୋରା ମଦ କାରବାର ବଢି ଯାଇଛି। ଏହାର ପେଣ୍ଠସ୍ଥଳୀ ପାଲଟିଯାଇଛି ଖୋର୍ଦ୍ଧା ଜିଲ୍ଲା।

ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ଏକାଧିକ ମଦମୃତ୍ୟୁ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଭୁବନେଶ୍ବରରେ ବି ଚୋରା ମଦ କାରବାରରେ କିଛି କମ୍ ନାହିଁ। ପୁଲିସ୍ ଚୋରା ମଦ ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଯଥେଷ୍ଟ ପଛରେ ପଡ଼ି ଯାଇଛି ଅବକାରୀ ବିଭାଗ। କେବଳ ରାଜଧାନୀ କଥା ଯଦି କହିବା ଲକଡାଉନ୍ ସମୟରେ ୧୯୦ ଲିଟରରୁ ଅଧିକ ପରିମାଣର ବିଦେଶୀ ମଦ ଜବତ କରିଛି ପୁଲିସ। କିନ୍ତୁ ଭୁବନେଶ୍ବର ଅବକାରୀ ଥାନା ଏପ୍ରିଲ ମାସରେ ମାତ୍ର ୨.୭ ଲିଟର ବିଦେଶୀ ମଦ ଜବତ କରିବାକୁ ସକ୍ଷମ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଚୋରା ମଦ ବେପାରୀଙ୍କ ବିରୋଧରେ ସ୍ବତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅବକାରୀ କାହିଁକି ଏତେ ଦୁର୍ବଳ ହୋଇଯାଇଛି? ଲକ୍‌ଡାଉନରେ ବିପୁଳ ପରିମାଣର ମଦ କାରବାର ହେଉଥିଲେ ବି କାହିଁକି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହିଁ ଅବକାରୀ ବିଭାଗ?

ଏହାର ଉତ୍ତର ଖୋଜୁ ଖୋଜୁ ଅବକାରୀ ବିଭାଗର ଦୁର୍ବଳ ଭିତ୍ତିଭୂମି ପଦାକୁ ଆସିଛି। ଚୋରା ନିଶା ବେପାରୀଙ୍କୁ ଗୋଡ଼ାଇବା ପାଇଁ ମାତ୍ର ୩ଟି ସରକାରୀ ଗାଡ଼ି ରହିଛି। ସବୁଠୁ ବଡ଼ କଥା ହେଲା ବିନା ଗାଡ଼ିରେ ଚାଲିଛି ଭୁବନେଶ୍ବର ରେଞ୍ଜ ଅଫିସ୍। ଲକ୍‌ଡାଉନରେ ଭୁବନେଶ୍ବର ଚୋରା ମଦ ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟି ଥିବା ବେଳେ ଅବକାରୀ ରେଞ୍ଜ ସେମାନଙ୍କୁ ଧରିବାରେ ଫେଲ୍ ମାରିଛି। ଆହୁରି ଏକ ସାଂଘାତିକ ତଥ୍ୟ ହେଲା ଖୋର୍ଦ୍ଧା ଜିଲ୍ଲା ପାଇଁ ୧୯୯୪ରେ ଅବକାରୀ ଅଧୀକ୍ଷକ କାର୍ଯ୍ୟାଳୟ ଖୋଲିଲା। କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ ୨୬ ବର୍ଷ ହେଲା ଭଡ଼ା ଘରେ ଏହା ଚାଲିଛି। ବାରଦୁଆର ବୁଲୁଛନ୍ତି କର୍ମଚାରୀ। ଖାଲି ଅବକାରୀ ଅଧୀକ୍ଷକ ନୁହେଁ କେତେକ ସର୍କଲ ସମେତ ୮ଟି କାର୍ଯ୍ୟା​ଳୟ ଭଡ଼ା ଘରେ ଚାଲିଥିବା ସୂଚନା ମିଳିଛି। କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିବା ଅବକାରୀ ବିଭାଗର ଭିତ୍ତିଭୂମି କାହିଁକି ଦୁର୍ବଳ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି?

ମିଳିଥିବା ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୩ଟି ଅବକାରୀ ରେଞ୍ଜ ରହିଛି। ଭୁବନେଶ୍ବର, ଖୋର୍ଦ୍ଧା ଓ ଟାଙ୍ଗୀରେ ଥିବା ରେଞ୍ଜରେ ୩ ଜଣ ଇନ୍ସପେକ୍ଟର ନିଯୁକ୍ତ ହୋଇଛନ୍ତି। ଜିଲ୍ଲାରେ ୮ଟି ସର୍କଲ(ଚାର୍ଜ) ରହିଛି। ଏହି ସର୍କଲରେ ଦାୟିତ୍ବରେ ଜଣେ ଲେଖାଁଏ ସବ୍ଇନ୍ସପେକ୍ଟର ରହିଛନ୍ତି। ଜିଲ୍ଲାରେ ମୋଟ ୧୯ ଜଣ କନଷ୍ଟେବଳ ରହିଥିବା ବେଳେ ଗୋଟିଏ ମୋବାଇଲ ସ୍କ୍ବାଡ୍ ରହିଛି। ଏହି ମୋବାଇଲ ସ୍କ୍ବାଡରେ ଜଣେ ଇନ୍ସପେକ୍ଟର ଓ ଜଣେ ସବ୍ଇନ୍ସପେକ୍ଟର ରହିଛନ୍ତି। ପ୍ରାୟ ମାସେ ହେଲା ମୋବାଇଲ ସ୍କ୍ବାଡ୍ ଇନ୍ସପେକ୍ଟର କରୋନା ମୁକାବିଲା ଲାଗି ଏନଆଇସିରେ କାର୍ଯ୍ୟରତ ଅଛନ୍ତି। ଯାହା ଫଳରେ ଲକ୍‌ଡାଉନରେ ମୋବାଇଲ ସ୍କ୍ବାଡ୍ ଅଚଳ ହୋଇ ପଡ଼ିଛି।

ଅବକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ବର୍ଷକୁ ରାଜସ୍ବ ୫୦ କୋଟି ଟଙ୍କା। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୫୦ କୋଟି ୬୩ ଲକ୍ଷ ଟଙ୍କା ରାଜସ୍ବ ମିଳିଛି। କିନ୍ତୁ ଏତେ ଟଙ୍କାର ରାଜସ୍ବ ମିଳିଥିଲେ ବି କାହିଁକି ଭିତ୍ତିଭୂମିକୁ ଗୁରୁତ୍ବ ଦେଉନି ବିଭାଗ, କାହିଁକି ନିଜସ୍ବ କୋଠାରେ ଚାଲି ପାରୁ ନାହିଁ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଚୋରା ନିଶା କାରବାର ମୁକାବିଲା ଲାଗି କାହିଁକି ଅଧିକ ଗାଡ଼ି କିଣାଯାଉନି, କାହିଁକି ଭଡ଼ା ଘର ଓ ଭଡ଼ା ଗାଡ଼ି ଉପରେ ନିର୍ଭର କରୁଛି ବିଭାଗ, ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ୨୩୪୦ ଲିଟର ପୋଚ, ୬୭୨୧.୫ ଲିଟର ଦେଶୀ ମଦ, ୩୬୨.୬ ଲିଟର ବିଦେଶୀ ମଦ, ୯୫.୪ ଲିଟର ବିଅର, ୧୫୦୬ ଲିଟର ରନ୍ଧାମଦ, ୫.୪ ଲିଟର ସ୍ପିରିଟ୍ ଜବତ ହୋଇଛି। ଏହି ବର୍ଷରେ ମଦ କାରବାରରେ ବ୍ୟବହୃତ ୪୪ଟି ଗାଡ଼ି, ୧୬ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ମୋଟ ୧ କୋଟି ୬ ଲକ୍ଷ ୫୮ ହଜାର ୯୩୭ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। ସେହି ବର୍ଷ ୧୧୦୭ଟି ନିଶା କାରବାର ଘଟଣା ପଦାକୁ ଆସିଥିବା ବେଳେ ୧୦୯୦ଟି ମାମଲା ରୁଜୁ ହୋଇଥିଲା। ୧୦୯୩ ଜଣଙ୍କୁ ଅବକାରୀ ଗିରଫ କରିଥିଲା।

ସମ୍ବନ୍ଧିତ ଖବର