ପୁରୀ: ଆଜି ଖାଦ୍ୟ ଶଷ୍ୟ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ। ଓଡ଼ିଶା ଆଜି ୧୨ଟି ରାଜ୍ୟକୁ ୨୪ ଲକ୍ଷ ଟନ୍‌ ଚାଉଳ ଯୋଗାଉଛି। ଏହା ଚାଷୀମାନଙ୍କ ନିଷ୍ଠା ଓ ପରିଶ୍ରମର ଫଳ ବୋଲି କହିଛନ୍ତି କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଜିଲ୍ଲା ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁରୀ ଶରଧାବାଲିଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ୨ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ, ରାଜ୍ୟର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଓ ବ୍ୟବସ୍ଥା ସବୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏଭଳି ମେଳାର ମୂଳ ଲକ୍ଷ୍ୟ। କୃଷକମାନଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଚାଷୀଙ୍କୁ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ଏହି ଅବସରରେ ବିଭିନ୍ନ ଯୋଜନା ଉପରେ ଉଭୟ ମତ୍ସ୍ୟସଂପଦ ଓ ପ୍ରାଣୀ ସଂପଦର ୨୮ଟି ଷ୍ଟଲ୍‌ ପଡ଼ିଥିଲା। ବାୟୋଫ୍ଲଗ୍‌ ମାଛ ଚାଷ, ଯାଆଁଳ ଉତ୍ପାଦନର ମଡେଲ୍‌, ଉନ୍ନତ ଛେଳି ଚାଷ ଆଦି ମେଡଲ୍‌ର ଲାଇଭ୍‌ ଡେମୋ ପ୍ରଦର୍ଶିତ ହୋଇଥିଲା। ବୈଜ୍ଞାନିକ ଜ୍ଞାନକୌଶଳ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା। ସଫଳ ମାଛ ଚାଷୀ ଭାବେ ଡେଲାଙ୍ଗର ମା’ ଛୋଟାପଲ୍ଲୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଯାଆଁଳ ଉତ୍ପାଦନରେ ସଫଳ ଚାଷୀ ଭାବେ ନିମାପଡ଼ା ସୁଜିତ କୁମାର ପ୍ରଧାନ, ସଫଳ ଗାଈ ଫାର୍ମ ପାଇଁ ଡେଲାଙ୍କ ବ୍ଲକର ବାବା ହୁଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ, କଣାସ ବ୍ଲକର ଉନ୍ନୟନାଥ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ୪ଜଣ ଚାଷୀଙ୍କୁ ପୁରସ୍କାର ବାବଦକୁ ୫ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରାଯାଇଥିଲା।
ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଅତିରିକ୍ତ ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଡା. ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଡା. ଜଗବନ୍ଧୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ପ୍ରାଣୀ ସଂପଦ ଅଧିକାରୀ ଡା. ନୃସିଂହ ଚରଣ ସାହୁ, ଡା. ଗଙ୍ଗାଧର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।