ଖୋର୍ଦ୍ଧା/ବାଲୁଗାଁ: ବାଲୁଗାଁଠାରେ ଥିବା ଚିଲିକା ମତ୍ସ୍ୟ ସମ୍ପଦ ଅଧିକାରୀଙ୍କ କାର୍ଯ୍ୟାଳୟ ଭୁଶୁଡ଼ି ପଡ଼ିଛି। ଏଥିରେ ଥିବା ୨ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କମ୍ପ୍ୟୁଟର ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ତେବେ ୬୦ ବର୍ଷର ପୁରାତନ କୋଠାର ସ୍ଥାୟିତ୍ବକୁ ନେଇ ବିଭାଗୀୟ ଅଧିକାରୀ ପୂର୍ତ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଏନେଇ ପଦକ୍ଷେପ ନିଆଯାଇ ନଥିବା ପ୍ରଶାସନର ଦୂରଦୃଷ୍ଟିହୀନତା ଓ ଖାମ୍ଖିଆଲ୍ ମନୋଭାବକୁ ପଦାରେ ପକାଇଛି।
ଗତକାଲି ଅପରାହ୍ଣ ପ୍ରାୟ ୫ଟା ବେଳେ ବାଲୁଗାଁ ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ବହିଥିଲା। ଏହି ସମୟରେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ୫ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ୩ଜଣ କର୍ମଚାରୀ ବର୍ଷା ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ କାର୍ଯ୍ୟାଳୟ ମଧ୍ୟରୁ ଉଠି ବାହାରକୁ ଚାଲି ଆସିଥିଲେ। କାର୍ଯ୍ୟାଳୟ ମଧ୍ୟରେ ଜଣେ କମ୍ପ୍ୟୁଟର ଅପରେଟର ଓ ଜଣେ କିରାଣୀ କାର୍ଯ୍ୟ କରୁଥିଲେ। ଏହି ସମୟରେ ତଳ କୋଠାର ଗୋଟିଏ ପାର୍ଶ୍ବ ଧସିବାକୁ ଆରମ୍ଭ କରିଥିଲା ଓ ଛାତ ଉପରୁ କଂକ୍ରିଟ୍ ସ୍ଲାବ୍ ଖଣ୍ତ ଖସିଥିଲା। ଏହାକୁ ଦେଖି ଭୟଭୀତ ହୋଇ ଦୁଇଜଣ ବାହାରକୁ ଚାଲିଆସିଥିଲେ। ସେମାନେ ବାହାରକୁ ଯିବାର ମାତ୍ର ୫/୧୦ ମିନିଟ୍ ମଧ୍ୟରେ ତଳକୋଠାର ଗୋଟିଏ ପାର୍ଶ୍ବ ଓ ଉପର କୋଠା ଧସି ଯାଇଥିଲା। ଏ ନେଇ ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଜଗଦୀଶ ପଣ୍ତାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କୋଠାଟି ପୁରୁଣା ହୋଇଯାଇଥିଲା। ବର୍ଷା ହେତୁ ଛାତ ଦବି ଯାଇଥିଲା। ଏ ନେଇ ବିଭାଗୀୟ ସଚିବ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ପୂର୍ତ୍ତ ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅପର ପକ୍ଷରେ ଚିଲିକା ମତ୍ସ୍ୟ ସମ୍ପଦ ଅଧିକାରୀ କ୍ଷେତ୍ରବାସୀ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କୋଠାଟି ୧୯୬୭ ମସିହାରେ ନିର୍ମିତ ହୋଇଥିଲା। ପୁରୁଣା ହୋଇଯାଇଥିବାରୁ କୋଠାଟିର ଅବସ୍ଥା ଭଲ ନଥିଲା। ଫନି ବାତ୍ୟା ପରେ କୋଠାଟିର ଅନେକ ଅଂଶ ଭାଙ୍ଗିରୁଜି ଯାଇଥିଲା। ଏ ନେଇ ସେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଜାନୁଆରି ମାସରେ ମଧ୍ୟ ସେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମରାମତି ନକରି ନୂତନ କୋଠା ନିର୍ମାଣ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କୋଠାଟିର ମରାମତି ହୋଇଥିଲା। ଗତକାଲି ଘଟଣା ସମୟରେ ସେ କାର୍ଯ୍ୟାଳୟରେ ନଥିଲେ। କୋଠା ଉପରେ ବଜ୍ରାଘାତ ହୋଇଥିବା କର୍ମଚାରୀମାନେ କହିଛନ୍ତି। ଏହି ଘଟଣାରେ ୪ଟି କମ୍ପ୍ୟୁଟର, ୩ଟି ପ୍ରିଣ୍ଟର୍, ଗୋଟିଏ ଜେରକ୍ସ ମେସିନ, ଫ୍ୟାକ୍ସ, ସିଲିଂ ଫ୍ୟାନ୍ ଓ ଟେବୁଲ୍ ଫ୍ୟାନ୍ ସହ ଆଲମିରା, ଟେବୁଲ୍ ଚୌକି ଆଦି ଭାଙ୍ଗିଯାଇଛି। ନଥିପତ୍ର ସମସ୍ତ କଂକ୍ରିଟ୍ ତଳେ ଦବିଯାଇଛି। ବର୍ତ୍ତମାନ ଏହାର ସଫେଇ ଆରମ୍ଭ ହୋଇଛି। ନିକଟରେ ବିଭାଗର ଅନ୍ୟ ଏକ କାର୍ଯ୍ୟାଳୟ ରହିଛି ସେଠାରେ ଅଫିସ କାମ କରାଯିବ।
ତେବେ କୋଠାଟି ୬୦/୭୦ ବର୍ଷ ପୁରାତନ। ଏହା ସହ ଚିଲିକା ନିକଟରେ ଥିବାରୁ ଲୁଣାପାଣି ଓ ଆର୍ଦ୍ର ଅଞ୍ଚଳ ଯୋଗୁଁ ଏହାର ଦୃଢ଼ତା ଶୀଘ୍ର ହ୍ରାସ ପାଇବା ଆଶଙ୍କା ରହିଛି। ଏପରିସ୍ଥଳେ ବିଭାଗୀୟ ଅଧିକାରୀଙ୍କ କ୍ରମାଗତ ଅନୁରୋଧକୁ ଉପରିସ୍ଥ ଅଧିକାରୀ ଓ ପୂର୍ତ୍ତ ବିଭାଗ କିଭଳି ଅଣଦେଖା କରିଥିଲେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଥିବା ପୁରାତନ ସରକାରୀ କୋଠାର ସ୍ଥାୟୀତ୍ବ ନେଇ ମଧ୍ୟ ସନ୍ଦେହ ଉପୁଜିଛି।