ପୁଣି ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଅଜଣା ଯୁବତୀ ଦେଲେ ଇଞ୍ଜେକ୍‌ସନ୍‌

ସିଡିଏମ୍‌ଓଙ୍କ ତଦନ୍ତ ନିର୍ଦେଶ, ଥାନାରେ ମାମଲା

ସମ୍ବଲପୁର : ପୁଣି ଚର୍ଚ୍ଚାରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ। ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ୨ ବର୍ଷ ତଳେ ମେଡିକାଲ ପରିସର‌ରୁ ଏକ ନବଜାତ ଶିଶୁ ପୁତ୍ର ଚୋରି ହୋଇଯିବା ପରେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। କିନ୍ତୁ ଏବେ ଖୋଦ୍‌ ସୁରକ୍ଷାକର୍ମୀଙ୍କ ସହ ଜଣେ ଅଜଣା ଯୁବତୀ ଆସି ୱାର୍ଡରେ ରୋଗୀଙ୍କୁ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚାଲି ଯାଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ମହିଳା କିଏ ଓ ସେ କାହିଁକି ୱାର୍ଡକୁ ଆସି ରୋଗୀଙ୍କୁ ଇଞ୍ଜେସନ ଦେଲେ ସେ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ଉତ୍ତର ନାହିଁ। ଏଭଳି ସ୍ଥିତିରେ କୌଣସି ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ‌ହୋଇଥିଲେ ତାହା ପାଇଁ ଦାୟୀ କିଏ ହୋଇଥାନ୍ତା ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧୨ଟା ୫୫ ମିନିଟରେ ଜିଲ୍ଲା ଚିକିତ୍ସାଳୟର ଶଲ୍ୟ ବିଭାଗର ୯୧ ନଂ ରୁମ୍‌କୁ ନାରଙ୍ଗୀ ରଙ୍ଗର ସାଲୱାର ସୁଟ ପିନ୍ଧିଥିବା ଜଣେ ଯୁବତୀ ପଶିଥିଲେ। ହାତରେ ଥିଲା ରୋଗୀଙ୍କୁ ଦେବା ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଓ ସାଲାଇନ୍‌। ପ୍ରଥମେ ବିନା ଆପ୍ରୋନ୍‌ରେ ଜଣେ ଦିଦି କିଭଳି ଇଞ୍ଜେକ୍ସନ ଦେବାକୁ ଆସିଛନ୍ତି ବୋଲି ରୋଗୀ ତଥା ତାଙ୍କ ସମ୍ପର୍କୀୟମାନେ ଭାବୁଥିଲେ। ତେବେ ଉକ୍ତ ଯୁବତୀ ଆସି ନିଜକୁ ନର୍ସ ବୋଲି ପରିଚୟ ଦେବା ସହିତ ଦିଦି ଅନୁପସ୍ଥିତ ଥିବାରୁ ତାଙ୍କୁ ପଠାଇଥିବା ରୋଗୀଙ୍କୁ କହିଥିଲେ। ମେଡିକାଲର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ମଧ୍ୟ ସାଙ୍ଗରେ ଥିବା‌ରୁ କେହି ବିଶେଷ ସନ୍ଦେହ କରିନଥିଲେ। ପରେ ଉକ୍ତ ଯୁବତୀ ଆସି ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ବାହାରକୁ ଯିବାକୁ କହିଥିଲେ। କିଛି ରୋଗୀଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ ବୋଲି ଜଣେ ରୋଗୀ କହିଛନ୍ତି। ୯୧ ନଂ ରୁମର ୧୨୧ ନଂ ବେଡରେ ଥିବା ରାହୁଲ ଖୁଣ୍ଟୁଲିଙ୍କୁ ଉକ୍ତ ଯୁବତୀ ପ୍ରଥମେ ଏକ ଏନ୍‌ଏସ୍‌ ସାଲାଇନ୍‌ ଦେବା ପରେ ୧୨୨ ନଂରେ ଥିବା ରମେଶ କୁମୁରାଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ତେବେ ୯୨ ନଂ ରୁମ୍‌ର ଅନନ୍ତ ବଗର୍ତ୍ତିଙ୍କୁ ସେ ସାଲାଇନ୍‌ ଦେବାକୁ ଯିବା ବେଳେ ତାଙ୍କୁ ଉକ୍ତ ଯୁବତୀ ନର୍ସ ନୁହନ୍ତି ବୋଲି ସନ୍ଦେହ ହୋଇଥିଲା। ତାଙ୍କର ପାଦ ଫୁଲି ଯାଉଥିବାରୁ ସାଲାଇନ୍‌ ଦେବାକୁ ତାଙ୍କୁ ଡାକ୍ତର ମନା କରିଥିଲେ ତେଣୁ ଦିଦି କିଭଳି ଭାବେ ଜବରଦସ୍ତ ସାଲାଇନ୍‌ ଦେଉଛନ୍ତି ବୋଲି ସେ ପାଟି କରିବା ପରେ ଯୁବତୀ ଜଣଙ୍କ ସେଠାରୁ ଚାଲି ଯାଇଥିଲେ। ୧୦ ମିନିଟ ମଧ୍ୟରେ ପ୍ରାୟ ୮ ଜଣ ରୋଗୀଙ୍କୁ ମନଇଚ୍ଛ‌ା ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇଥିଲେ। କିନ୍ତୁ ଉକ୍ତ ସମୟରେ ତଳ ୱାର୍ଡରେ କାର୍ଯ୍ୟରତ ଜଣେ ନର୍ସ ସେଠାକୁ ଆସି କିଏ ଏହି ଯୁବତୀ ଓ ନର୍ସ ରୁମ୍‌ରେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଯୁବତୀ ଜଣଙ୍କ ସେଠାରୁ ଦୌଡ଼ି ଚାଲିଯାଇଥିଲେ।

ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା.କେ.କେ.ଗୁପ୍ତାଙ୍କୁ ପଚାରିବାରେ ଉକ୍ତ ଯୁବତୀ କିଏ ଓ ସେ କାହିଁକି ଆସି ରୋଗୀଙ୍କ ଇଞ୍ଜେକ୍ସନ ଦେଲେ ତାହା ଜଣା ପଡ଼ିନଥିବା କହିଛନ୍ତି। ତେବେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏହାସହିତ ଟାଉନ୍‌ ଥାନାରେ ମଧ୍ୟ ଏସମ୍ପର୍କିତ ଏକ ଏତଲା ଦିଆଯାଇଥିବା ସେ ସୂଚନା ‌ଦେଇଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ କିଏ ଉକ୍ତ ରହସ୍ୟମୟୀ ଯୁବତୀ ତାହା ଜଣାପଡ଼ିବ ଓ ସୁରକ୍ଷାକର୍ମୀ କାହିଁକି ତାଙ୍କୁ ସୁରକ୍ଷା ଯୋଗାଉଥିଲେ ତାହା ମଧ୍ୟ ତଦନ୍ତରୁ ଜଣାପଡ଼ିବ ବୋଲି ଡା.ଗୁପ୍ତା କହିଛନ୍ତି।

ତେବେ ଏତେବଡ଼ ଗୁରୁତର ଘଟଣାକୁ ବି ପ୍ରଶାସନ ଅତ୍ୟନ୍ତ ହାଲୁକା ଭାବେ ନେଉଥିବା ଭଳି ଲାଗୁଛି। ଏପର୍ଯ୍ୟନ୍ତ ସୁରକ୍ଷା କର୍ମୀ କିମ୍ବା ଡ୍ୟୁଟି ନର୍ସଙ୍କୁ ଏ ବିଷୟରେ ପଚରାଉଚୁରା କରାଯାଇନାହିଁ।

ସମ୍ବନ୍ଧିତ ଖବର