ଶିଶୁଙ୍କ ଜୀବନ ସହ ଖେଳ : ଏସ୍‌ଏନ୍‌ସିୟୁ ନା ଗାଈ ଗୁହାଳ!

ଦୋଷ ଖସାଇବା ପାଇଁ ଲେଖାଇ ନିଆଯାଉଛି ରିସ୍କ ବଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍‌ଏନ୍‌ସିୟୁ) ନିଷ୍ପାପ ଶିଶୁଙ୍କ ଜୀବନ ସହ ଖେଳ ଚାଳିଛି। ‌ନବଜାତ ଶିଶୁମାନଙ୍କୁ ସ୍ବତନ୍ତ୍ର ଭାବେ ଅତ୍ୟନ୍ତର ଯତ୍ନ ସହିିତ ଚିକିତ୍ସା କରାଯିବା

ପାଇଁ ରହିଥିବା ଏହି ବିଭାଗରେ ସାଂଘାତିକ ଅବହେଳା କରାଯାଉଛି। ଗୁହାଳ‌େର ଗାଈଗୋରୁମାନଙ୍କୁ ଖୁନ୍ଦାଖୁନ୍ଦି କରି ରଖିବା ଭଳି ଏଠାରେ ନବଜାତ ଶିଶୁମାନଙ୍କୁ ବି ସେଭଳି ରଖାଯାଉଛି। ‘ଏସ୍‌ଏନ୍‌ସିୟୁରେ ମାତ୍ର ୧୨ଟି ଶଯ୍ୟା ରହିଥିବା ବେଳେ ଅଧିକାଂଶ ସମୟରେ ୩୦ରୁ ଅଧିକ ଶିଶୁଙ୍କୁ ରଖାଯାଉଛି। ଗୋଟିଏ ଶଯ୍ୟାରେ ଜଣେ ଶିଶୁକୁ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଅନ୍ୟ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଗୋଟିଏ ଶଯ୍ୟାରେ ୩ ଜଣ ଲେଖାଏଁ ଶିଶୁଙ୍କୁ ରଖାଯାଉଛି ବୋଲି ଏସ୍‌ଏନ୍‌ସିୟୁର ମୁଖ୍ୟ ଡାକ୍ତର ନନ୍ଦକିଶୋର ସାହୁ କହିଛନ୍ତି।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଢେଙ୍କାନାଳ, ଦେବଗଡ଼ ସମେତ ୩ଟି ଜିଲ୍ଲାର ରୋଗୀ ନିର୍ଭର କରୁଛନ୍ତି। ଚିକିତ୍ସାଳୟର ଅନ୍ୟ ବିଭାଗ ଭଳି ଏସ୍‌ଏନ୍‌ସିୟୁରେ ବି ସବୁବେଳେ ରୋଗୀଙ୍କ ଭିଡ଼ ରହୁଛି। ମାତ୍ର ଏଠାରେ ସାମାନ୍ୟ ଭିତ୍ତିଭୂମିର ବି ସୁବିଧା ନାହିଁ। ଶ୍ବାସକ୍ରିୟାରେ ସମସ୍ୟା ପରିଲକ୍ଷିତ ହେଉଥିଲେ ରୋଗୀମାନଙ୍କୁ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଥାଏ। ଭେଣ୍ଟିଲେଟର ନଥିଲେ, ସି-କେପ୍‌ ମେସିନ ଜରିଆ‌େର ବି ରୋଗୀଙ୍କୁ ସାମୟିକ ଭାବେ ଜୀବନ ବଞ୍ଚାଇ ରଖାଯାଇପାରିବ। ମାତ୍ର ଏସ୍‌ଏନ୍‌ସିୟୁ ପାଇଁ ଅନିବାର୍ଯ୍ୟ ଥିବା ଭେଣ୍ଟିଲେଟର କିମ୍ବା ସି-କେପ୍ ମେସିନ ଅନୁଗୁଳରେ ନାହିଁ। କେବଳ ସେତିକି ନୁହେଁ, ବିଲିରୁବି‌ନୋମିଟର ନଥିବାରୁ ନବଜାତ ଶିଶୁମାନଙ୍କ ଜଣ୍ଡିସର ମାତ୍ରା ମାପିବାରେ ସମସ୍ୟା ହେଉଛି। ସେହିପରି ଗ୍ୟାସ, ରକ୍ତ ଆଦି ମାପିବା ପାଇଁ ଉଦ୍ଦିଷ୍ଟ ଏବି‌ଜି( ଆନାଲେସିସ୍ ଅଫ୍ ବ୍ଲଡ୍ ଆଣ୍ଡ ଗ୍ୟାସ୍) ମେସିନ ବି ନାହିଁ। ଏସବୁ ଗୁରୁତ୍ବପୂର୍ଣ୍ଣ ମେସିନ ବ୍ୟତୀତ ଆହୁରି ଅନେକ ଛୋଟବଡ଼ ସମସ୍ୟା ଭରି ରହିଛି। ଗୁରୁତର ଅବସ୍ଥାରେ ଆସୁଥିବା ନବଜାତ ଶିଶୁମାନଙ୍କୁ ତୁରନ୍ତ କଟକ ଶିଶୁଭବନକୁ ରେଫର କରି ଦିଆଯାଉଛି। ଯେଉଁ ଗରିବ ପିତାମାତା କଟକ ନେବା ପାଇଁ ଅସମର୍ଥତା ପ୍ରକାଶ କରୁଛନ୍ତି, ସେମାନଙ୍କଠାରୁ ଆଗୁଆ ‘ରିକ୍ସ ବଣ୍ଡ’ରେ ଦସ୍ତଖତ କରି ନିଆଯାଉଛି। ଅର୍ଥାତ ନବଜାତ ଶିଶୁର ଯଦି ମୃତ୍ୟୁ ହୁଏ, ଏସ୍‌ଏନ୍‌ସିୟୁରେ କାର୍ଯ୍ୟରତ ଡାକ୍ତର/କର୍ମଚାରୀ ଦାୟୀ ହେ‌େବ ନାହିଁ। ଗତ ସୋମବାର ଦିନ ୪ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପିତାମାତାଙ୍କଠାରୁ ବି ଏଭଳି ‘ରିକ୍ସ ବଣ୍ଡ’ରେ ଆଗୁଆ ଦସ୍ତଖତ କରି ନିଆଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଘଟଣା ସଂକ୍ରାନ୍ତରେ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପ୍ରତାପ ବେହେରାଙ୍କୁ ପଚାରିବାରୁ ସେ କହି‌େଲ, ଗୁରୁତର ଅବସ୍ଥାରେ ଶିଶୁମାନଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ରେଫର କରାଯାଇଥିଲେହେଁ ପରିବାର ଲୋକେ ଶିଶୁମାନଙ୍କୁ ଏଠାରୁ ନେଇନଥିଲେ। ସେମାନଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ ବୋଲି ଡାକ୍ତର ବେହେରା କହିଛନ୍ତି। ଅପରପକ୍ଷରେ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ବ୍ୟବସ୍ଥା ଥିଲେ, ଦୁନିଆ ଦେଖିବା ପୂର୍ବରୁ ୪ ଜଣ ନିଷ୍ପାପ ଶିଶୁ ଆରପାରିକୁ ଚାଲି ଯାଇନଥାନ୍ତେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର