ବଦଳିବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କଳେବର, ୭ ମହଲା କୋଠା ନିର୍ମାଣ ହେବ, ଶଯ୍ୟା ସଂଖ୍ୟା ହେବ ୩୦୦

‘ମୋ ସରକାର’ ଟିମ୍‌ର ପରିଦର୍ଶନ ପରେ ଘୋଷଣା

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କଳେବର ବଦଳିବ। ଏଠାରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ୭ ମହଲା ବିଶିଷ୍ଟ ଏକ ନୂଆ ଡିଏଚ୍‌ଏଚ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିରେ ୩୦୦ ଶଯ୍ୟା ରହିବ। ବର୍ତ୍ତମାନ ଯେଉଁ ବିଲ୍‌ଡିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି, ସେଥିରେ ୧୯୧ ଶଯ୍ୟା ରହିଛି। ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ।

‘ମୋ ସରକାର’ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ମୋ ସରକାର ଟିମ୍‌ର ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ମତାମତ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ପଦକ୍ଷେପ ନିଆଯାଇଛି। ରୋଗୀଙ୍କ ଆଟେଣ୍ଡାଣ୍ଟ୍‌ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାରେ ଏକ ବିଶ୍ରାମସ୍ଥଳୀ ନିର୍ମାଣ କରାଯିବା ସହ ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର୍‌ ଖୋଲାଯିବ। ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପାର୍କିଂ ଏରିଆର ବିକାଶ କରାଯିବ। ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର