ବୌଦ୍ଧ : ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ମୋ ସରକାର। ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ନୂଆ ୫ଟି ମନ୍ତ୍ର ଡାକ୍ତରଖାନା ଓ ପୁଲିସ ଥାନାରେ କାର୍ଯ୍ୟକାରୀ କରାଯାଇଛି। ମାତ୍ର ଯେଉଁଠି ଭିତ୍ତିଭୂମିର ଅଭାବ ରହୁଛି ସେଠି ସରକାରଙ୍କ ୫-ଟି କାର୍ଯ୍ୟ କରିବ ତ? ଏନେଇ ସଚେତନ ବର୍ଗରେ ଆଶଙ୍କା ଦେଖାଯାଇଛି।
ରାଜ୍ୟର ୨୯ତମ ପଛୁଆ ଜିଲ୍ଲା ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମେଡିକାଲ ପାଇଁ ସ୍ଥାନ ଅଭାବ। ଜାକିଜୁକି ହୋଇ ଚାଲିଛି ସମସ୍ତ ବିଭାଗ। ପ୍ରସୂତି ଓ ସ୍ତ୍ରୀ ରୋଗ ଚିକିତ୍ସା ବିଭାଗର ଶଯ୍ୟା ଅଭାବ ଯୋଗୁଁ ରୋଗୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏପରିକି ନବଜାତକ ଓ ଗର୍ଭବତୀମାନେ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଆଉ କେଉଁଠି ଗୋଟିଏ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ୍ ଲାଗିଛି। ମେଡିକାଲରେ ସ୍ଥାନ ଅଭାବ ଦେଖାଇ ପ୍ରସ୍ତାବିତ ମାତୃ ମଙ୍ଗଳ କେନ୍ଦ୍ରର ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି। ଫଳରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ହଇରାଣ ହେଉଛନ୍ତି। ୪୭ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨୪ଜଣ ଡାକ୍ତର। ସେଥିରେ ପୁଣି ସପ୍ତାହକୁ ୪ରୁ ୬ଜଣ ଡାକ୍ତର ଛୁଟିରେ ରହୁଛନ୍ତି। ଥରେ ଛୁଟି ନେଲେ ସପ୍ତାହେ ନହେଲେ ୧୫ଦିନ। ଏହି ଫେରାରି ଡାକ୍ତରଙ୍କ ଉପରେ ମୋ ସରକାରଙ୍କ ଆଙ୍କୁଶ ଲାଗିବତ ବୋଲି ପ୍ରଶ୍ନବାଚୀ ଉଠୁଛି।
ତା’ ସାଙ୍ଗକୁ ଡାକ୍ତରଖାନାରେ ବେଡ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ବି ନାହିଁ। ଜିଲ୍ଲାରେ ଘରୋଇ ଡାକ୍ତରଖାନାଟିଏ ମଧ୍ୟ ନାହିଁ। ଯାହାକି ଆବଶ୍ୟକ ସ୍ଥଳେ ରୋଗୀଙ୍କ ଜୀବନ ରକ୍ଷା କରିବ। ଲୋକେ ସୋନପୁର ନହେଲେ ସିଧା ବୁର୍ଲା ମେଡିକାଲ ହିଁ ଭରସା। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଭିତ୍ତିଭୂମି ଅଭାବ ଯୋଗୁଁ ଏଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ବିଭିନ୍ନ ବିଭାଗର ଡାକ୍ତର ପଦବି ଖାଲି ରହିଛି। ସେଗୁଡ଼ିକର ପୂରଣ କରାଯିବା ନେଇ ବାରମ୍ବାର ଲୋକେ ଦାବି କରୁଥିବା ବେଳେ ସମୟ ସମୟରେ ଡାକ୍ତରଙ୍କୁ ନିଯୁକ୍ତି ହେଉଛି। ମାତ୍ର ନିଯୁକ୍ତି ପରେ କାର୍ଯ୍ୟରେ ଯୋଗଦାନ କରି ଲମ୍ବା ଛୁଟିରେ ଡାକ୍ତର ଚାଲି ଯାଉଥିବା ଭଳି ନଜିର ମଧ୍ୟ ଏଠାରେ ଦେଖିବାକୁ ମଳିୁଛି। କେବଳ ସେତିକି ନୁହଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଅଭାବ ଥିବା ସତ୍ତ୍ବେ ଏଠାରୁ ୩ଜଣ ଡାକ୍ତରଙ୍କୁ ବାହାର ଜିଲ୍ଳାକୁ ଡେପୁଟେସନରେ ପଠାଯାଇଛି। ୨ ଜଣ ଡାକ୍ତର ଟ୍ରେନିଂ ଯାଇଥିବା ଜଣାଯାଇଛି। ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଖାଲି ପଦଗୁଡ଼ିକର ପୂରଣ କରାଯିବା ସହ ଲମ୍ବା ଛୁଟି ନେଇ ଫେରାର ମାରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସଚେତନ ନାଗରିକ ତଥା ରୋଗୀ ମହଲରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/boudha-h.jpg)