ପୁରୀ : ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଋଣର ସବ୍ସିଡି ଟଙ୍କା କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି) କାର୍ଯ୍ୟାଳୟର ସୁପରଭାଇଜର୍ ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରସାୟନବୋଳା ୧୫ ହଜାର ଟଙ୍କା ଜବତ କରାଯାଇଛି। ଏନେଇ ତାଙ୍କ ବିରୋଧରେ ୧୭/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଶ୍ରୀ ପଟ୍ଟନାୟକଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ମଙ୍ଗଳପୁରର ବଧି ଗ୍ରାମର ରତ୍ନାକର ସାହୁ ଗତ ମାର୍ଚ୍ଚ ମାସରେ ଡିଆଇସି ଅଫିସର ଖଦି ଭିଲେଜ ବୋର୍ଡ ଇଣ୍ଡଷ୍ଟ୍ରିରୁ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ଏକ କଂସା ପିତଳ ପ୍ରସ୍ତୁତି ୟୁନିଟ୍ ପାଇଁ ୭ ଲକ୍ଷ ଟଙ୍କା ଋଣ ନେବାପାଇଁ ଆବେଦନ କରିଥିଲେ। ଏହି ଟଙ୍କାର ୩୫ ପ୍ରତିଶତ ଟଙ୍କା(୨ ଲକ୍ଷ ୪୫ ହଜାର ଟଙ୍କା) ସବ୍ସିଡି ଆକାରରେ ମିଳିବାର ବ୍ୟବସ୍ଥା ରହିଛି। ଏହି ସବ୍ସିଡି ଟଙ୍କା କରାଇଦେବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଖଦି ଓ ଗ୍ରାମ୍ୟ ଇଣ୍ଡଷ୍ଟ୍ରି ବୋର୍ଡ ବିଭାଗର ସୁପରଭାଇଜର ନାରାୟଣ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଶ୍ରୀ ପଟ୍ଟନାୟକ ୧୫ ହଜାର ଟଙ୍କା ଲାଞ୍ଚ ପାଇଁ ବାଧ୍ୟ କରିଥିଲେ। ଅଭିଯୋଗକାରୀ ଶ୍ରୀ ସାହୁ ଏ ସମ୍ପର୍କରେ ରାଜ୍ୟ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ତାଙ୍କର ଏହି ଅଭିଯୋଗକୁ ଭିତ୍ତି କରି ଗତ କାଲି ୧୭/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୋଗକାରୀ ହାତରେ ରସାୟନ ମିଶ୍ରିତ ୧୫ ହଜାର ଟଙ୍କା ଦିଆଯାଇଥିଲା। ସେ ଏହି ଟଙ୍କାକୁ ନେଇ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଏହି ଟଙ୍କାକୁ ନେଇ ପ୍ୟାଣ୍ଟ ପକେଟରେ ରଖିଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଛପି ରହିଥିବା ପୁରୀ ଭିଜିଲାନ୍ସ ବିଭାଗର ଡିଏସ୍ପି ଶିଶିର କୁମାର ଭୋଇ, ଭୁବନେଶ୍ବରର ଇନ୍ସ୍ପେକ୍ଟର ରେଣୁବାଳା ତ୍ରିପାଠୀ, ମଦନମୋହନ ପ୍ରଧାନ, ଏସ୍ଆଇ ସୁଦୀପ୍ତ ପୃଷ୍ଟି, କନେଷ୍ଟବଳ ଚନ୍ଦନ ପଣ୍ଡା, ତୁଷାର ଦାସ ପ୍ରମୁଖ ପହଞ୍ଚି ଶ୍ରୀ ପଟ୍ଟନାୟକଙ୍କଠାରୁ ରାସାୟକ ବୋଳା ୧୫ ହଜାର ଟଙ୍କା ଜବତ କରିଥିଲେ। ତାଙ୍କର ଦୁଇହାତକୁ ପାଣିରେ ଧୋଇବାରୁ ତାଙ୍କ ହାତରୁ ରଙ୍ଗପାଣି ବାହାରିଥିଲା। ତେଣୁ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲେ। ଏଥି ସହିତ ଭିଜିଲାନ୍ସ ବିଭାଗ ଶ୍ରୀ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ଭୂଦାନ ଛକରେ ଥିବା ତାଙ୍କ ବାସଭବନରେ ମଧ୍ୟ ଚଢ଼ଉ କରି ଯାଞ୍ଚ କରିଛି ବୋଲି ଡିଏସ୍ପି ଶ୍ରୀ ଭୋଇ କହିଛନ୍ତି।