୫ ଟି ଆଧାରରେ ଲୋକସମ୍ପର୍କ ଅଧିକାରୀମାନେ କାର୍ଯ୍ୟ କରନ୍ତୁ : ମନ୍ତ୍ରୀ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳନୀ

ଭୁବନେଶ୍ବର : ଉପଖଣ୍ଡ, ଜିଲ୍ଲା ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୂଚନା ଅଧିକାରୀମାନେ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ କିମ୍ବା ଯୋଜନାର ସଫଳ ପ୍ରଚାର ପ୍ରସାର, ଏସବୁ କ୍ଷେତ୍ରରେ ସେମାନେ ଭଲ କାମ କରିଆସୁଛନ୍ତି। ବର୍ତ୍ତମାନ ବୈଷୟିକ ବିଜ୍ଞାନର ପ୍ରୟୋଗ ବଢ଼ିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ସରକାରଙ୍କ ପ୍ରତି ଜନସାଧାରଣଙ୍କ ଆଶା ଓ ଭରସାକୁ ପୂରଣ କରିବା ଦିଗରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ‘୫ ଟି’ ଆଧାରରେ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି।

ଆଜି ଲୋକସମ୍ପର୍କ ଭବନରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହାର ଥିମ୍ ଥିଲା ‘ଲୋକସମ୍ପର୍କ ବିଭାଗୀୟ କାର୍ଯ୍ୟର ପରିସରରେ ବ୍ୟାପକତା ତଥା ପ୍ରଗତିଶୀଳତା’। ଏଥିରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ ବିଭାଗରେ ଥିବା ବିଭିନ୍ନ ପୁରୁଣା ଫଟୋ‌, ଚଳଚ୍ଚିତ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ଆଦିର ଡିଜିଟାଲ୍‌ ସଂରକ୍ଷଣ, ଇ-ପାଠାଗାର ସ୍ଥାପନ ଆଦି ଉପରେ ଗୁରୁତ୍ବାରୋପ କରିଥିଲେ। ବିଭାଗୀୟ ଶାସନ ସଚିବ ସଞ୍ଜୟ ସିଂହ କହିଲେ, ବର୍ତ୍ତମାନ ଗଣମାଧ୍ୟମର ବହୁଳ ବ୍ୟବହାର ବଢ଼ିଛି। ଲୋକଙ୍କ ଆଶା, ଆକାଂକ୍ଷା ଓ ଦାବିକୁ ଶୀଘ୍ର ପୂରଣ କରିବା ଦିଗରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ବିଭାଗୀୟ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ରାଜ୍ୟ ସରକାର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନେଇ କଟକଣା‌ ଜାରି କରିଥିବା ବେଳେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଉଥିବା ସମସ୍ତ ସଭା, ସମିତିରେ ପ୍ଲାଷ୍ଟିକ୍ ନିର୍ମିତ ଗ୍ଲାସ୍, ପାଣି ବୋତଲ ଆଦି ବ୍ୟବହାର ନ କରାଯାଇ ପ୍ରତି ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ। ବିଭାଗୀୟ ନି‌େର୍ଦ୍ଦଶକ କୃପାସିନ୍ଧୁ ମିଶ୍ର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ସଫଳ କାହାଣୀ ପ୍ରକାଶନ, ପ୍ରସାରଣ ଓ ପ୍ରାମାଣିକ ତଥ୍ୟ ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ। ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ, ସୁବାସ ଚନ୍ଦ୍ର ସୁପକାର, ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ପ୍ରମୋଦ କୁମାର ମଲ୍ଲିକ, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର