ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ସଭାପତି, ସଂପାଦକ ଓ ସହସଂପାଦକ ପଦବି ପାଇଁ ହେବ ନିର୍ବାଚନ

ନିର୍ଦ୍ବନ୍ଦ୍ବରେ କୋଷାଧ୍ୟକ୍ଷ ଓ ୭ କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚିତ

ଜୟପୁର: ଆସନ୍ତା ୧୨ତାରିଖରେ ହେବ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିବସ ରହିଥିଲା। ତେବେ ଜଣେ ବି ପ୍ରାର୍ଥୀ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରି ନଥିବା କହିଛନ୍ତି ନିର୍ବାଚନ ଅଧିକାରୀ ଶଶାନନ୍ଦ ମିଶ୍ର। ଆଜି ଦିନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ରହିଥିଲା। ସଭାପତି ପଦବୀରେ ପୂର୍ବତନ ସଭାପତି ସରୋଜ ଦାଶ ଓ ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ସେଭଳି ସଂପାଦକ ପଦବୀରେ ପୂର୍ବତନ ସଂପାଦକ ସଚ୍ଚିଦାନନ୍ଦ (ଲୁଲୁ)ମିଶ୍ର ଓ ଆନନ୍ଦ ରଥ, ସହସଂପାଦକ ଉମାକାନ୍ତ ସାହୁ ଓରାଜେନ୍ଦ୍ର କୁମାର ଗୌଡଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ।

ଅନ୍ୟ ପକ୍ଷରେ ଜଣେ ଲେଖାଏଁ ନାମାଙ୍କନପତ୍ର ଦାଖଲ କରିଥିବାରୁ ଉପସଭାପତି ଭାବେ ହରିଶ୍ଚନ୍ଦ୍ର ମୁଦୁଲି, କୋଷାଧ୍ୟକ୍ଷ ଭାବେ ଗୋପବନ୍ଦୁ ସାନ୍ତ୍ରା, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ କେ . ଦିବାକର ରାଓ, ଶୁଭେନ୍ଦୁ ମିଶ୍ର, ଭୋଳାନାଥ ପଟ୍ଟନାୟକ, ସୁମନ୍ତ ସାହୁ, କେ.ଅରୁଣ କୁମାର, ମୀନକେତନ ପରିଚ୍ଛା , ପି.ସନ୍ୟାସୀ ରାଓ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ଏହାରି ମଧ୍ୟରେ ଓକିଲ ସଂଘ ନିର୍ବାଚନ ପାଇଁ ବିଜେଡି ସମର୍ଥନରେ ସଭାପତି ପଦବୀ ପାଇଁ ପ୍ରାର୍ଥୀ ଭାବେ ସରୋଜ ଦାଶ, ସଂପାଦକ ଭାବେ ସଚ୍ଚିଦାନନ୍ଦ ମିଶ୍ର, ଉପସଭାପତି ଭାବେ ଗିରୀଧର ଖରା , ସହସଂପାଦକ ଉମାକାନ୍ତ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଗୋପବନ୍ଦୁ ସାନ୍ତ୍ରାଙ୍କୁ ଚୟନ କରାଯାଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଗିରିଧର ଖରାଙ୍କର ବୃତ୍ତି ୧୫ବର୍ଷରୁ ଅଧିକା ହୋଇ ନଥିବାରୁ ତାଙ୍କ ନାମାଙ୍କନପତ୍ର ନାକଚ ହୋଇଥିଲା। ବିଜେଡିର ଜଣେ ମାତ୍ର ପ୍ରାର୍ଥୀ କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରା ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ଆଇନଜୀବୀ ସେଲ୍ ପକ୍ଷରୁ ସଂପ୍ରତି ଦଳ ସମର୍ଥିତ ଅନ୍ୟପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣନୀତି ଆପଣାଇବା ଆରମ୍ଭ ହୋଇଛି। ସେଭଳି କଂଗ୍ରେସ ସମର୍ଥନରେ ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ ଏଥରକ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ଆଇନସେଲର ହରିଶ୍ଚନ୍ଦ୍ର ମୁଦୁଲି ଉପସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସଂପ୍ରତି ଦଳ ଗୁଡିକ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏବେ ଠାରୁ ଘରକୁ ଘର ବୁଲା, ଫୋନରେ ଯୋଗାଯୋଗ ସହ ସାମାଜିକ ଗଣମାଧ୍ୟମର ସାହରା ନେଇ ଅନୁରୋଧ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର