ଖୋର୍ଦ୍ଧା: ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ' ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୩ଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଅପରାହ୍ଣରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଓ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅତିରିକ୍ତ ଅଧ୍ୟକ୍ଷ ଡ ପର୍ଶୁରାମ ମହାରଣା, ସଭ୍ୟା ମାନସୀ ପାଢ଼ୀ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ଏଲ୍ପିଓ ସୌମେନ୍ଦ୍ର ନାୟକ, ରଂଜନ କୁମାର ଗୋଚ୍ଛାୟତ, ରୀତାଂଜଳି ମହାନ୍ତି, ମନସ୍ୱିନୀ ମହାପାତ୍ର, ଅନୂପ ବେହେରା, ସୁକାନ୍ତ କୁମାର ପୃଷ୍ଟି, ଅର୍ଚ୍ଚନା ରାୟ ଓ ମିତୁଲ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ପୂର୍ବାହ୍ଣରେ ଅନୁଷ୍ଠିତ ପ୍ରତିଯୋଗିତାରେ ନୃତ୍ୟ ପ୍ରତିଯୋଗିତାରେ ସର୍ବ କନିଷ୍ଠ ବର୍ଗରେ ଦିବ୍ୟଜ୍ୟୋତି ସେବାଶ୍ରମର ଶିଶୁମାନେ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ ବରିଷ୍ଠ ବର୍ଗରେ ପ୍ରତିଭା ଆଶ୍ରମର ଅନ୍ତେବାସୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସଂଗୀତ ପ୍ରତିଯୋଗିତାରେ ଆମଘର ଶିଶୁ ଯତ୍ନ ଅନୁଷ୍ଠାର ମୀରା ନାୟକ, ଦିବ୍ୟଜ୍ୟୋତି ସେବାଶ୍ରମର ଶ୍ରଦ୍ଧାଂଜଳି ନାୟକ ଓ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ନନ୍ଦିନୀ ନାୟକ ଯଥାକ୍ରମେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରଥମସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଦୃତ ଅନୁଷ୍ଠାନର ଗଣେଶ ମୁଣ୍ଡା ଓ ଉର୍ମି ମୁଣ୍ଡା, ମୀନାକ୍ଷୀ ମଲ୍ଲିକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଏନ୍ ଗଣେଶ, ଏସ୍ଓଏସ୍ ଶିଶୁ ଯତ୍ନ ଅନୁଷ୍ଠାନର ପିଙ୍କି ସିଂହ ପ୍ରଥମ ସ୍ଥାନ ପାଇଥିବା ବେଳେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶ୍ରୀଶ୍ରୀ ମା' ଆନନ୍ଦମୟୀ ଆଶ୍ରମର ଏସ୍ ନରେଶ ରାଓ, ମିଲମ ପ୍ରଧାନ ପ୍ରଧମ ହୋଇଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିଆରସିଂହ ଓ ବିରଂଚି ଚମ୍ପତ୍ତିରାୟ କୃତି ଛାତ୍ରଛାତ୍ରୀଙ୍କ ବିବେଚନା କରିଥିଲେ ।