କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ସମିତି ସଭାପତି ଶେଷଦେବ ପୁଟେଲଙ୍କ ଆହ୍ବାନରେ ସହରର ୨୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ଥାନୀୟ ଇନ୍ଦିରା ଛକ ନିକଟରେ ସମସ୍ତେ ଏକଜୁଟ ହୋଇ ଜିଲ୍ଲା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ମାନ୍ୟତା ପାଇବାକୁ କଣ୍ଟାବାଞ୍ଜି ସବୁ ମାନଦଣ୍ଡ ପୂରଣ କରୁଥିବା ବେଳେ ଭୌଗୋଳିକ ସ୍ଥିତି ମଧ୍ୟ ଜିଲ୍ଲା ହେବା ପାଇଁ ପ୍ରସ୍ତୁତ ଅଛି। ଏଥିସହ ଦୀର୍ଘ ବର୍ଷ ହେଲା ଜିଲ୍ଲା ଦାବି ନେଇ ଦାବି ଆନ୍ଦୋଳନ କରାଯାଇ ଆସୁଥିଲେ ସୁଦ୍ଧା ସରକାର ଏହାକୁ କର୍ଣ୍ଣପାତ କରୁନଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଆଜିର ବନ୍ଦ ପାଳନରେ ଆଦିବାସୀ କଲ୍ୟାଣ ସଂଘ, ହେମାଲ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଲକ୍ଷେ ଘର ଗଣ୍ଡା ସମାଜ, ବାରିକ ସମାଜ, କୋଶଲ ମୁକ୍ତିମୋର୍ଚ୍ଚା, ଉତ୍କଳ ଘାସି ସମାଜ, ଠେଲା ବ୍ୟବସାୟୀ ସଂଘ, ଜିଲ୍ଲା ସଂଘର୍ଷ ସମିତି ବେଲପଡ଼ା, ଓକିଲ ସଂଘ, ଅଟୋ ରିକ୍ସା ଚାଳକ ସଂଘ ଆଦି ସଂଗଠନ ସାମିଲ ହୋଇଥିଲେ। ବନ୍ଦ ପ୍ରଭାବରେ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ରହିଥିଲା। ଅନ୍ୟପକ୍ଷରେ ବନ୍ଦ ପାଳନକୁ ବିଧାୟକ ସନ୍ତୋଷ ସିଂହ ସାଲୁଜା ସମର୍ଥନ କରି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ମୁଁ ବିଧାନସଭାରେ ପ୍ରଶ୍ନ କରୁଥିବି, ଏହା ସହ ମୋ ଦ୍ୱାରା ଯାହା ହେବ ମୁଁ ଜିଲ୍ଲା ଦାବି ପାଇଁ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ଜିଲ୍ଲା ସଂଘର୍ଷ ସମିତି କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଦସ୍ୟ ନରେନ୍ଦ୍ର ସୁନା, ବେଦବ୍ୟାସ ନାଗ, ଅଜୟ ଅଗ୍ରୱାଲ, ପ୍ରଦୀପ ବାଗ, ଶୈଳେନ୍ଦ୍ର ନାରାୟଣ ବେହେରା, ବିଷର୍ବ ବେହେରା, ଅମରେନ୍ଦ୍ର ତାଣ୍ଡି, ରାମଚନ୍ଦ୍ର ସାହୁ, କୁଞ୍ଜ ବିହାରୀ ବେହେରା ପ୍ରମୁଖ ସାମିଲ ଥିଲେ।