ଦୁର୍ଘଟଣା ମୃତକଙ୍କୁ ସହାୟତା ଦେବାକୁ ଗଠନ ହେଲା ଜିଲ୍ଲାସ୍ତରୀୟ କମିଟି

ଭୁବନେଶ୍ବର : ସଡ଼କ ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କର ମାଗଣାରେ ଚିକିତ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଚିକିତ୍ସା ରାଶି ପ୍ରଦାନ କରିବା ଏବଂ ହିଟ୍‌ ଆଣ୍ଡ୍ ରନ୍‌ ଘଟଣାରେ ମୃତକଙ୍କ ପରିବାରକୁ ଯଥାସମ୍ଭବ ଶୀଘ୍ର ଅନୁକମ୍ପା ରାଶି ପ୍ରଦାନ କରିବାକୁ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟି ମୃତକ ଓ ଆହତଙ୍କ ପରିବାର ସହ ଯୋଗାଯୋଗ କରି ତୁରନ୍ତ ଅର୍ଥରାଶି ପ୍ରଦାନ କରିବାକୁ କୁହାଯାଇଛି।

ଏବେ ହିଟ୍‌ ଆଣ୍ଡ୍ ରନ୍‌ କେସ୍‌ରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ସରକାର ନିୟମ କରିଥିଲେ ହେଁ ବହୁ ପରିବାର ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଥିବାରୁ ଏନେଇ ଏହି କମିଟି ପଦକ୍ଷେପ ନେବ। ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ। ଜିଲ୍ଲାପାଳ ହିଁ ସେଟେଲମେଣ୍ଟ ଅଧିକାରୀ ଭାବେ ସମସ୍ତ ନିଷ୍ପତ୍ତି ନେବେ। ଏହି କମିଟିରେ ଜଣେ ସବ୍‌ଡିଭିଜନ ସ୍ତରୀୟ ଅଧିକାରୀ ବା କ୍ଲେମ୍ ଇନକ୍ବାରି ଅଧିକାରୀ ସଦସ୍ୟ ରହିବେ। ସେହିପରି କମିଟିରେ ଜିଲ୍ଲାର ଏସ୍‌ପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଆର୍‌ଟିଓ, ଜିଲ୍ଲାପାଳଙ୍କ ଦ୍ବାରା ମନୋନୀତ ଜଣେ ସାଧାରଣ ଲୋକ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନର ଜଣେ କର୍ମୀ ସଦସ୍ୟ ରହିବେ। ଜେନେରାଲ ଇନସ୍ୟୁରାନ୍ସ କାଉନସିଲ ଦ୍ବାରା ମନୋନୀତ ଜଣେ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ।

ସୂନଚାଯୋଗ୍ୟ ଯେ, ସଡ଼କ ଦୁର୍ଘଟଣା ମୃତକ ଏବଂ ଆହତଙ୍କୁ ସରକାରୀ ସହାୟତା ମିଳୁନଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର