ଡିସେମ୍ବର ୬ରୁ କଣ୍ଟାମାଳ, ୧୩ରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍‌ରେ ଧାନକିଣା ଆରମ୍ଭ

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୨-୨୩ ଖରିଫ ଋତୁ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁ ପାଇଁ ଡିସେମ୍ବର ୬ ତାରିଖରୁ କଣ୍ଟାମାଳ ବ୍ଲକ୍‌ ଓ ୧୩ ତାରିଖରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଚାଷୀଙ୍କ ପାଖରୁ ଧାନ ସଂଗ୍ରହ କରାଯିବା ନିଷ୍ପତ୍ତି ହୋଇଛି। ଗତବର୍ଷ ୧୬ ଲକ୍ଷ ୫୨ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସର୍ବେକ୍ଷଣ ଶେଷ ହୋଇ ନଥିବା ବେଳେ ଚଳିତବର୍ଷ ଧାନ ଚାଷ ଭଲ ହୋଇଥିବାରୁ ଏହା ୨୦ ଲକ୍ଷ କୁଇଣ୍ଟାଲ ଅତିକ୍ରମ କରିବା ଆକଳନ କରାଯାଉଛି। ଧାନ ବିକ୍ରି କରିବା ପାଇଁ ଜିଲ୍ଲାର ୪୨ ହଜାର ୬୫୬ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୬୯ ଜଣଙ୍କ ଆବେଦନ ପତ୍ର ଖାରଜ ହେବା ପରେ ୪୨ ହଜାର ୪୮୭ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏଫ୍‌ଏକ୍ୟୁ ମାନର ଧାନର ସର୍ବାଧିକ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଥିବା ବେଳେ ମଣ୍ଡିକୁ ଏଫ୍‌ଏକ୍ୟୁ ମାନର ଧାନ ଆଣିବାକୁ ଚାଷୀଙ୍କୁ ଆହ୍ବାନ କରାଯାଇଛି। ପ୍ରତିବର୍ଷ ମଣ୍ଡିରେ କଟ୍‌ନିଛଟ୍‌ନି ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହାକୁ ଗୁରୁତର ସହ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପେକ୍ସ ଓ ମହିଳା ଏସ୍‌ଏଚ୍‌ଜିଙ୍କ ମାଧ୍ୟମରେ ଧାନ କିଣା ହେବ। ଗତବର୍ଷ କିଛି ମଣ୍ଡିରେ ଧାନ କିଣାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ସେଗୁଡ଼ିକର ସମାଧାନ ହେବା ପରେ ମୋଟ ୫୬ଟି କ୍ରୟ କେନ୍ଦ୍ର ଖୋଲାଯିବା ନିଷ୍ପତ୍ତି ହୋଇଛି। ଚାଷୀ ଆବେଦନ କରିବା ପରେ ତାଙ୍କ ତଥ୍ୟକୁ ରାଜସ୍ବ ବିଭାଗ ଓ କୃଷି ବିଭାଗ କର୍ମଚାରୀଙ୍କ ତଦାରଖ ପରେ ଏଆର୍‌ସିଏସ ଅନୁମୋଦନ କରିଛନ୍ତି। ତେବେ ଚଳିତ ବର୍ଷ ବିଭାଗୀୟ ତଦନ୍ତକୁ ରାଜ୍ୟସ୍ତରରେ ସାଟେଲାଇଟ ମାଧ୍ୟମରେ ତଦାରଖ କରାଯାଉଛି। ଉଭୟ ତଥ୍ୟ ସମାନ ହେବା ପରେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କ ପଞ୍ଜୀକୃତ ମୋବାଇଲ ମାଧ୍ୟମରେ ଟୋକନ ପ୍ରଦାନ କରାଯିବ। ଧାନ କ୍ରୟ କେନ୍ଦ୍ରରେ ଚାଷୀ ପାଖରୁ ଧାନ ସଂଗ୍ରହ କରିବା ପରେ ଗଚ୍ଛିତ ରଖିବା ପାଇଁ ଗୋଦାମ ଗୃହର ବ୍ୟବସ୍ଥା, ତାରପୋଲିନ, ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ଧାନ କିଣା ସମୟରେ ସେପରି କୌଣସି ଅନିୟମିତତା ଦେଖା ନଦିଏ ସେଥିପ୍ରତି ଯତ୍ନବାନ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପ୍ରତିନିଧି ସିତାଂଶୁ ମହାକୁଳ, କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ପ୍ରେମରାଜ ରଣା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେର, ଉପଜିଲ୍ଲାପାଳ ସନତ ନାଏକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ହରିହର ବାରିକ, ଡିଏସ୍‌ଡବ୍ଲୁଓ ସେବାଷ୍ଟିନିଆ  କୁଜୁର, କନ୍ଧମାଳ ଖଣ୍ଡର ଡିଆର୍‌ସିଏସ ଯୁଗଳ କିଶୋର ଦାଶ, ଏଆର୍‌ସିଏସ୍‌ ମଙ୍ଗଳ ସୋରେନ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୂ ପ୍ରସନ୍ନ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ, ମିଲ ମାଲିକ ସଂଘର ସଭାପତି ଅଶୋକ ଅଗ୍ରୱାଲାଙ୍କ ସହ ଅନ୍ୟ ମିଲ ମାଲିକ, ବିଭିନ୍ନ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରୁ ସୁନୀଲ ଚନ୍ଦ୍ର ବାରିକ, ତ୍ରିବିକ୍ରମ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର