ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

୧୪ ଲକ୍ଷ ୭୬ ହଜାର କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ଲକ୍ଷ୍ୟ, ୩୦ରୁ ଖୋଲିବ ମଣ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ସୋମବାର  ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଧାନ ସଂଗ୍ରହ ସଂପର୍କରେ ଆଲୋଚନା ହୋଇଥିଲା। ଏଥର ଜିଲ୍ଲାର ଚାଷୀମାନଙ୍କଠାରୁ ୧୪ ଲକ୍ଷ ୭୬ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ୧୦ ଲକ୍ଷ ୩ ହଜାର ୯୦୦ କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯିବ। ଚଳିତ ବର୍ଷ ଖରିଫ ଧାନ କିଣାରେ ଜିଲ୍ଲାର ୧୫ଟି ଏଏସଏଚଜିକୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ୩୦ ତାରିଖରୁ ମଣ୍ତି ଆରମ୍ଭ ହେବ। ଜିଲ୍ଲାରେ ମୋଟ ୨୬ଟି ପେକ୍ସ ଥିବା ବେଳେ ୭୨ଟି ମଣ୍ତିରେ ଧାନ କିଣାଯିବ। ସେପରି ସମସ୍ତ ମଣ୍ତିରେ ଆର୍‌ଏମ୍‌ସି କର୍ମଚାରୀ ଉପସ୍ଥିତ ରହିବେ। ଚାଷୀମାନଙ୍କ ଧାନ କଟନି ଛଟନି ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରତି ମଣ୍ତିରେ ଧାନ ପରୀକ୍ଷଣ ଯନ୍ତ୍ର ରଖିବା ସହ ଚାଷୀଙ୍କ ସୁବିଧା ପାଇଁ ଆର୍‌ଏମ୍‌ସି ସମସ୍ତ ସୁବିଧା କରିବ ବୋଲି ଜିଲ୍ଲାପାଳ କହିଥିଲେ।

ଧାନ ମଣ୍ତି ପରିଦର୍ଶନ ପାଇଁ ଏକ କମିଟି ଗଠନ କରି ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁଛି କି ନାହିଁ, ଚାଷୀ କାହା ପ୍ରଲୋଭନରେ ପଡ଼ିଛି କି ତାହା ତଦାରଖ କରାଯିବାକୁ ନିର୍ଦେଶ ଦେଇଥିଲେ। ଧାନକ୍ରୟ ପୂର୍ବରୁ ଆର୍‌ଏମ୍‌ସି କର୍ମଚାରୀଙ୍କୁ ତାଲିମ ଦିଆଯିବ। ଚାଷୀ ଏଫ୍ଏକ୍ୟୁର ଧାନ ଆଣିବା ଉପରେ ଗୁରୁତ୍ବ ଦେବାକୁ କହାଯାଇଛି। ଅନଲାଇନ କରିଥିବା ଚାଷୀମାନେ ଧାନବିକ୍ରି କରି ପାରିବେ। ଜିଲ୍ଲାରେ ୪୧ ହଜାର ୮୧୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୪୧ ହଜାର ୬୦୭ ଚାଷୀ ଧାନ ବିକ୍ରି କରିପାରିବେ। ପ୍ରତିବର୍ଷ ଚାଷୀଙ୍କୁ ଗନିବ୍ୟାଗରେ ଚାଷୀମାନଙ୍କୁ ଶୋଷଣ କରାଯାଇଛି। ଚଳିତ ବର୍ଷ ଚାଷୀମାନଙ୍କୁ ଆର୍‌ଏମ୍‌ସି ପକ୍ଷରୁ ଗନିବ୍ୟାଗ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଥିଲେ ଯେ, ପ୍ରତିବର୍ଷ ଜିଲ୍ଲାରେ ମିଲର୍‌ମାନେ ସେମାନଙ୍କ ମନଇଚ୍ଛାରେ ଧାନ ମଣ୍ଡିରୁ ସଂଗ୍ରହ କରନ୍ତି। ଚଳିତ ବର୍ଷ ମିଲର୍‌ମାନଙ୍କ ରାଜୁତି ବନ୍ଦ କରିବାକୁ କହିଥିଲେ। ସେହିପରି ଜିଲ୍ଲାର ମିର୍ଲସ  ଧାନ ଉଠାଣରେ ଅବହେଳା କଲେ ବାହାର ଜିଲ୍ଲାରୁ ମିଲର୍ ଆଣି ଧାନ ଉଠାଣ କରାଯିବ ବୋଲି ଯୋଗାଣ ବିଭାଗ ବୈଠକରେ ନିଷ୍ପତ୍ତି ନେଇଛି।

ଚାଷୀନେତା ଯଦୁମଣି ପାଣିଗ୍ରାହୀ କହିଥିଲେ, ଜିଲ୍ଲାରେ ଚାଷୀମାନଙ୍କ ଟୋକନ ରହିଥିଲେ ମଧ୍ୟ ମଣ୍ଡିରେ ମାସ ମାସ ଧରି ଥଣ୍ଡାରେ ଜଗିବାକୁ ପଡ଼ିଥାଏ। ଚଳିତ ବର୍ଷ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଓ ଏ ଗ୍ର‌େଡ ଧାନ କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟକରାଯାଇଛି। ଚଳିତ ବର୍ଷ ୧୫ଟି ଏସ୍ଏଚ୍‌ଜିରେ ୫ହଜାର ୭୭୧ ଚାଷୀ ଧାନ ବିକ୍ରି କରିବେ ବୋଲି ଆଲୋଚନା ହୋଇଥିଲା। ବୈଠକରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ଡିଆର୍‌ଡିଏ ସିଡିଓ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ରାଜ ଚନ୍ଦ୍ର ଉପସ୍ଥିତଥିଲେ। କାର୍ଯ୍ୟକ୍ରମକୁ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ପରିଚାଳନା କରିଥିଲେ। ବିବେକାନନ୍ଦ ମହାନନ୍ଦ, ଯଶୋବନ୍ତ ମାଝୀ, ଅତିରିକ୍ତ ଯୋଗାଣ ଅଧିକାରୀ, ତହସିଲଦାର ଦେବେନ୍ଦ୍ର ରାଉତ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିସନ ଶକ୍ତି ରାମ ତାଣ୍ଡି, ସମେତ ମିଲର୍ମାନେ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର