ଜିଲ୍ଲାସ୍ତରୀୟ ଜାତୀୟ ଶିଶୁକନ୍ୟା ଦିବସ

ବାଲେଶ୍ବର: ସ୍ଥାନୀୟ ଉତ୍କଳ ବାଳାଶ୍ରମରେ ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଭାପତିତ୍ବ କରି କନ୍ୟା ସନ୍ତାନର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। କନ୍ୟା ସନ୍ତାନ ହେଉଛି ଅମୂଲ୍ୟ ରତ୍ନ ଏବଂ ସେମାନଙ୍କ ଲାଳନପାଳନରେ ଯେପରି କୌଣସି ଅବହେଳା ନ ହୁଏ ସେଥିପାଇଁ ଆମ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ସେ କହିଥିଲେ।

ଏହି ଅବସରରେ ୪୦ ଜଣ ଝିଅଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ୫୨ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ‘କ୍ରୀଷ୍ଣା ମରିୟମ’ ଏବଂ ଜଣେ ପ୍ରୋଗ୍ରାମ ଅଫିସର ‘ସୁଜାତା ପଟ୍ଟନାୟକ’ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ‘ବେଟି ବଚାଓ, ବେଟି ପଢାଅ’ ଅଭିଯାନରେ ବାଲେଶ୍ବର ଜିଲ୍ଲା ପାଇଁ ‘ମୋ ଝିଅ, ମୋ ସ୍ବାଭିମାନ’କୁ ସ୍ଲୋଗାନ୍‌ ଭାବେ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡା. ଦୁଲାଲସେନ ଜଗଦ୍ଦେବ, ଜିଲ୍ଲା ମଙ୍ଗଳ ଅଧିକାରୀ ରାଜୀବଲୋଚନ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥୀ ବାରିକଙ୍କ ସମେତ ଶିଶୁ ଯତ୍ନ ଅନୁଷ୍ଠାନର ଝିଅ, କିଶୋରୀ କନ୍ୟାଙ୍କ ସମେତ ଅଙ୍ଗନବାଡି କର୍ମୀ, ପ୍ରୋଗ୍ରାମ ଅଫିସର, ସିଡିପିଓ, ଜୁଭେନାଇଲ ଜଷ୍ଟିସ୍ ବୋର୍ଡର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ କନ୍ୟା ସନ୍ତାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମମାଳା ମିଶ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର