ପଟାଙ୍ଗି: କୋଟିଆରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ପ୍ରମୁଖ ଦଳର ନେତା। ଭାଷାର ପ୍ରଚାର ସହ କୋଟିଆ ପାଇଁ ଲଢ଼େଇ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ଆନ୍ଧ୍ରକୁ ଜବାବ ଦେବାକୁ ପ୍ରସ୍ତୁତ ବୋଲି ପ୍ରଶାସନ ପକ୍ଷରୁ ସିଧାସଳଖ ବାର୍ତ୍ତା ଦିଆଯାଇଛି।
ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରୁ ହଜାରେରୁ ଅଧିକ ଲୋକ ଯୋଗ ଦେଇଥିଲେ। ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ବରିଷ୍ଠ ନେତା ଜୟରାମ ପାଙ୍ଗି, ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ଅଧ୍ୟକ୍ଷ ଗଦାଧର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକା, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସରପଞ୍ଚ ଲିୟୁ ଗେମେଲ, ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ, ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା, ସିଡିଓ ବେଣୁଧର ଶବର ଓ ସାଂସଦଙ୍କ ପ୍ରତିନିଧି ପ୍ରତିନିଧି ଶୁକ୍ରା ଖରା ପ୍ରମୁଖ ଯୋଗ ଦେଇଥିଲେ। ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠି କରି ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ସହ କୋଟିଆ ପାଇଁ ଲଢ଼ିବୁ, ଆଦୌ ଛାଡ଼ିବୁ ନାହିଁ ବୋଲି ଉପସ୍ଥିତ ନେତା ଓ ପ୍ରାଶାସନିକ ଅଧିକାରୀ କହିଥିଲେ। ଆନ୍ଧ୍ରର ଅନୁପ୍ରବେଶରେ ରୋକ୍ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କୋଟିଆର ବିକାଶ ଲାଗି ସରକାର ଗୁରୁତ୍ବ ଦେଉଛନ୍ତି। ଆନ୍ଧ୍ର ଯାହା ବି କରୁଛି ଲୁଚିଛପି କରୁଛି।
ଯାହାର ଜବାବ ଦେବାକୁ ପ୍ରଶାସନ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡ଼ାମ ଓଡ଼ିଆ ଅସ୍ମିତାର ବାର୍ତ୍ତା କୋଟିଆ ମାଟିରୁ ଯାଉ। ପଡ଼ୋଶୀ ରାଜ୍ୟର ଅନୁପ୍ରବେଶକୁ ଆମେ ବରଦାସ୍ତ କରିବୁ ନାହିଁ। ଓଡ଼ିଆ ଭାଷା ଓ ସ୍ୱାଭିମାନକୁ ବଞ୍ଚାଇବା ପାଇଁ ଆମେ ଆଜି କୋଟିଆରେ ଏକାଠି ହୋଇଛୁ। ଯଦି ଆନ୍ଧ୍ର ଦାଦାଗିରି ଦେଖାଇବ ତେବେ ପାଣି ବନ୍ଦ କରିଦେବୁ। କିନ୍ତୁ ଆମେ କଠୋର ହେବାକୁ ଚାହୁନୁ ବୋଲି କହିଥିଲେ। ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/02/a2PmWw6tV4LvjGIEtC9a.jpg)