ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ଖରିଫ ଧାନକିଣା ୨୦ରୁ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ଧାନ କ୍ରୟ କମିଟିର ଅଧ୍ୟକ୍ଷା ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୦୨୦-୨୧ ଖରିଫ ଧାନ କ୍ରୟ ଆସନ୍ତା ୨୦ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ କିପରି ସୁରୁଖୁରୁରେ କ୍ରୟ କରାଯିବ ସେ ଉପରେ ମତ ରଖିଥଲେ। ସେହିପରି ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୂଜାରୀ ସରକାରଙ୍କ ଧାନ କ୍ରୟ ନେଇ ପ୍ରଚଳିତ ନିୟମ ଯେପରି ଠିକ୍‌ ଭାବରେ କାର୍ଯ୍ୟକାରୀ ହେବ ସେ ଉପରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ଧାନ କ୍ରୟ ଆରମ୍ଭ ପୂର୍ବରୁ ଧାନ କ୍ରୟ କେନ୍ଦ୍ର ଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ କେନ୍ଦ୍ରରେ ସରକାରଙ୍କ ଦ୍ବାରା ଧାର୍ଯ୍ୟ କୋଭିଡ୍ ନିୟମାବଳୀ ପାଳନ କରାଯିବାକୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ୬୨ଟି ପ୍ୟାକ୍ସ ଓ ୩୮ଟି ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ବାରା ଧାନ କ୍ରୟ କରାଯିବ। ଚଳିତ ବର୍ଷ ୫୫ ହଜାର ୭୦୨ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ସୂଚନା ଦିଆଯାଇଥିଲା। ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ୩୦ ହଜାର ୫୮୮ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ କରାଯିବାକୁ ଲକ୍ଷ୍ୟ ରହିଛି। ପ୍ୟାକ୍ସ ଗୁଡ଼ିକରେ ଧାନ କ୍ରୟ ସମୟରେ ସମନ୍ବୟ ରକ୍ଷା କରିବା ଓ ତଦାରଖ କରିବା ପାଇଁ ପ୍ୟାକ୍ସ କମିଟିକୁ ଦାୟିତ୍ବ ଦିଆଯାଇଛି। ଧାନ କ୍ରୟ କେନ୍ଦ୍ରଗୁଡ଼ିକୁ ଅବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ସେହିପରି ଜିଲ୍ଲାରେ ଧାନ କ୍ରୟରେ ସ୍ବଚ୍ଛତା ବଜାୟ ରଖିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଯେଉଁ ମିଲର୍ସ ଗତ ବର୍ଷ ରବି ଧାନ କ୍ରୟର ଶତ ପ୍ରତିଶତ ସିଏମ୍‌ଆର୍‌ ଦେଇଥିବେ ସେହି ମିଲର୍ସ ଧାନ କ୍ରୟରେ ଭାଗ ନେଇପାରିବେ ବୋଲି ସରକାରୀ ନିର୍ଦେଶନାମା ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୨ଜଣ ମିଲର୍ସ ଶତ ପ୍ରତିଶତ ସିଏମ୍‌ଆର ଦେଇଛନ୍ତି। ନଭେମ୍ବର ୨୦ ତାରିଖ ମଧ୍ୟରେ ଯେଉଁ ମିଲର୍ସ ଶତ ପ୍ରତିଶତ ସିଏମ୍‌ଆର ଦେବେ ସେହି ମିଲର୍ସ ଧାନ ସଂଗ୍ରହରେ ଭାଗ ନେଇପାରିବେ। ଏହାକୁ ଦୃଷ୍ଟି ଦେଲେ ଜିଲ୍ଲାର ୪୧ଜଣ ମିଲର୍ସ ଏହି ଧାନ କ୍ରୟରେ ଭାଗ ନେବାର ସମ୍ଭାବନା ରହିଛି ଏବଂ ଦରକାର ପଡ଼ିଲେ ବାହାର ମିଲର୍ସଙ୍କୁ ମଧ୍ୟ ଧାନ କ୍ରୟରେ ସାମିଲ୍‌ କରାଯିବ ବୋଲି ସୂଚନା ଦିଆଯାଇଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆର୍‌ଡିଏ ଡୋଳାମଣି ପଟେଲ, ସୋନପୁର ଉପଜିଲ୍ଲାପାଳ ନିହାର କଅଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ସଂପାଦକ ଉଦିତ ବାବୁ, ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟି ସଂପାଦକ କି‌ଶୋର ନାଏକ, ଚାଷୀ ପ୍ରତିନିଧି ସଜନ ପଣ୍ଡା, ପ୍ରକାଶ ହୋତା, ରାଜେନ୍ଦ୍ର ନାୟକ, ବୈକୁଣ୍ଠ ଶତପଥୀ, ପ୍ରଦୀପ ସ୍ବାଇଁ ତଥା ମିଲର୍ସ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର