ଫୁଲବାଣୀ : ଅବ୍ୟବସ୍ଥା ଘେରରେ ଜିଲ୍ଲା ପାଠାଗାର, ଊଈଙ୍କ ଆହାର ହେବାକୁ ବସିଲାଣି ପ୍ରାଚୀନ ପୁସ୍ତକ

ଫୁଲବାଣୀ : ଫୁଲବାଣୀର ସର୍ବ ପୁରାତନ ପାଠାଗାର ଭାବେ ପରିଚିତ ଜିଲ୍ଲା ପାଠାଗାର ଅବସ୍ଥା କହିଲେ ନ ସରେ। ବହୁବର୍ଷ ଧରି ଜିଲ୍ଲା ପାଠାଗାର ବନ୍ଦ ଥିବାରୁ ବହିଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ଜିଲ୍ଲା ପାଠାଗାରକୁ ବନ୍ଦ କରାଯାଇ ଏଠାରେ ଥିବା ୮ ହଜାରରୁ ଅଧିକ ବହିକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ପରିତ୍ୟକ୍ତ ଘର ମଧ୍ୟରେ ରଖାଯାଇଛି। ଫଳରେ ଏସବୁ ମୂଲ୍ୟବାନ ବହି ଏବେ ଊଈ ଏବଂ ପୋକଙ୍କ ଆହାର ପାଲଟିଲାଣି। ବର୍ତ୍ତମାନ ଯଦିଓ କରୋନା ସଂକ୍ରମଣ ଯୋଗୁ ପାଠାଗାର ବନ୍ଦ ରହିଛି, ମାତ୍ର କରୋନା ସଂକ୍ରମଣର ବହୁ ପୂର୍ବରୁ ଜିଲ୍ଲା ପାଠାଗାରରେ ତାଲା ପଡ଼ିଛି।

ପ୍ରଶାସନ ପକ୍ଷରୁ ବିଇଡି କଲେଜ ନିକଟରେ ଏକ ଇ-ଲାଇବ୍ରେରୀ କରାଯାଇଛି, ମାତ୍ର ପ୍ରାଚୀନ ଜିଲ୍ଲା ପାଠାଗାରର ସମସ୍ତ ବହିକୁ ଏବେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ଦୁଇଟି ନିବୁଜ କୋଠରି ମଧ୍ୟରେ ବନ୍ଦ ରଖାଯାଇଛି। ଜିଲ୍ଲା ପାଠାଗାରର ସମସ୍ତ ବହି ଏଠାରେ ଏମିତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି, ଯେ କେହି ବି ଦେଖିଲେ ବିଚଳିତ ହୋଇ ଉଠିବ। ଏଥି ମଧ୍ୟରୁ ଅନେକ ବିରଳ ମୂଲ୍ୟବାନ ବହି ଏବେ ପୋକ ଓ ଊଈ ଖାଇ ନଷ୍ଟ ହେଲାଣି। ନୂତନ ଭାବେ ଜିଲ୍ଲା ପାଠାଗାର କୋଠା ନିର୍ମାଣ କରାଯିବା ପରେ ଏସବୁ ବହିକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଅଧିକାରୀ କହୁଥିବା ବେଳେ ବାସ୍ତବରେ ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏସବୁ ବହୁମୂଲ୍ୟ ପୁସ୍ତକ ଏବେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପରିତ୍ୟକ୍ତ କୋଠରି ମଧ୍ୟରେ ପଡ଼ିରହିଛି। ସବୁଠୁ ଦୁର୍ଭାଗ୍ୟଜନକ ଘଟଣା ହେଉଛି, ଦୀର୍ଘ ବର୍ଷ ଧରି ଜିଲ୍ଲା ସଂସ୍କୃତି ଅଧିକାରୀ ପଦବି ଖାଲି ପଡ଼ିଥିଲେ ମଧ୍ୟ ଏହା ପୂରଣ ହୋଇପାରୁନି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅସ୍ଥାୟୀ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟ ତୁଲାଉଛନ୍ତି।

ଅପରପକ୍ଷେ, ଦାରିଙ୍ଗବାଡ଼ିରେ ସରକାର ଇକୋ ରିଟ୍ରିଟ୍‌ର ବିକାଶ କରିଥିବାରୁ ଅଧିକାଂଶ ସମୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସେଠାରେ ବ୍ୟସ୍ତ ରହୁଛନ୍ତି। ଏହାପରେ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ ପର୍ଯ୍ୟଟନଭିତ୍ତିକ କାର୍ଯ୍ୟକ୍ରମରେ ତାଙ୍କୁ ଯୋଗ ଦେବାକୁ ପଡୁଛି। ଏଣୁ ବାସ୍ତବରେ ସଂସ୍କୃତି ବିଭାଗ କଥା ବୁଝିବାକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ପାଖରେ ସମୟ ନଥାଏ। ଏଣୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ଅକାମୀ ହୋଇପଡ଼ିଛି। ଅପରପକ୍ଷେ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଜଣେ ସହାୟକ ଗ୍ରନ୍ଥାଗାରିକଙ୍କ ତତ୍ତ୍ବାବଧାନରେ ଚାଲିଛି। ୨୦୧୫ରୁ ଜିଲ୍ଲା ପାଠାଗାରରୁ ସମସ୍ତ ବହି ଅଣାଯାଇ ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟର ପରିତ୍ୟକ୍ତ କୋଠରିରେ ବନ୍ଦ କରି ରଖାଯାଇଛି। ଏହି କୋଠରି ମଧ୍ୟରେ ବହିଗୁଡ଼ିକୁ ଏଭଳି ବିକ୍ଷୀପ୍ତ ଭାବେ ଏତେତେଣେ ରଖାଯାଇଛି ଜଣେ ନିଜ ଆଖିରେ ଦେଖିଲା ପରେ ବହିର ଦୁର୍ଦ୍ଦଶା ସମ୍ପର୍କରେ ହୃଦୟଙ୍ଗମ କରିପାରିବ। ତେବେ ଖୁବ୍‌ଶୀଘ୍ର ଏସବୁ ବହିକୁ ନୂତନ ପାଠାଗାରକୁ ସ୍ଥାନାନ୍ତର କରାଯିବ ବୋଲି ସହାୟକ ଗ୍ରନ୍ଥାଗାରିକ ନରେଶ କୁମାର ବେହେରା ସୂଚନା ଦେଇଛନ୍ତି। ମାତ୍ର ସେତେବେଳ ପର୍ଯ୍ୟନ୍ତ ଊଈ ଆଉ ପୋକଙ୍କ ମୁହଁରୁ ବହିଗୁଡ଼ିକ ସୁରକ୍ଷିତ ଥିବ ତ?

ସମ୍ବନ୍ଧିତ ଖବର