ଭଙ୍ଗା ଛାତ୍ରୀନିବାସର ତଦାରଖ କଲେ ଜିଲ୍ଲାପାଳ ଓ ବିଧାୟକ

ଜୟପୁର: ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀନିବାସ ଓଛାତ୍ର ନିବାସର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି। ହଜାର ହଜାର ପିଲା ଛାତ୍ରନିବାସ ଗୁଡିକରେ ବିପଦସଂକୁଳ ସ୍ଥିତିରେ ରହି ପାଠ ପଢ଼ୁଛନ୍ତି। ଗତ ଦୁଇ ଦିନ ତଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଛାତ୍ରୀନିବାସ ଗୁଡିକରେ ବୁଲି ଦେଖିଥିଲେ। ଛାତ୍ରିନିବାସର ରୁମ ଗୁଡିକ ବିପଦସଂକୁଳ ସ୍ଥିତିରେ ରହିଥିବା ଦେଖିଥିଲେ। ଆଜି ଫୁଟ ଓଭର ବ୍ରିଜ ସହ  ବିକ୍ରମଦେବ ମହାରାଜଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ଜିଲ୍ଲାପାଳ ମହମ୍ମଦ ଆବଦାଲ ଆଖତାର ଯୋଗଦେଇଥିଲେ। ତାଙ୍କୁ  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦୃଷ୍ଟି ଆକର୍ଷଣ କରାଇବା ସହ ଛାତ୍ରୀନିବାସ ଗୁଡିକ ନିକଟକୁ ନେଇ ବୁଲାଇ ଦେଖାଇଥିଲେ। ଜିଲ୍ଲାପାଳ ନିଜେ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାରଙ୍କୁ ସାଥୀରେ ନେଇ  ଛାତ୍ରୀନିବାସ ଗୁଡିକ ଦେଖିବା ପରେ ଏତେ ପୁରୁଣା ଏବଂ ବିପଦସଂକୁଳ ସ୍ଥିତିରେ ଅନ୍ତେବାସୀ ଛାତ୍ରୀ ମାନେ ରହୁଥିବା ଦେଖି ଭୟ ପ୍ରକାଶ କରିଥିଲେ।

ସେଭଳି କର୍ମଚାରୀଙ୍କ କ୍ବାର୍ଟସ ଅବସ୍ଥା ବି ଭଲ ନଥିବାରୁ ସେଗୁଡିକର ବି ଯାଂଚ କରି ଯଦି ବହୁ ବର୍ଷରୁ ନିର୍ମାଣ କରାଯାଇଛି ତ‌େବେ ‌ତାହା ଆଉ କେତେ ଦିନ ପର୍ଯ୍ୟନ୍ତ ଠିକ ଭାବେ ରହି ପାରିବ ନ ନାହିଁ ଯାଂଚ କରିବାକୁ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।  ତୁରନ୍ତ ଛାତ୍ରୀ ନିବାସ ଓ ଛାତ୍ର ନିବାସ ଓ ଷ୍ଟାଫ କ୍ବାର୍ଟ ନିର୍ମାଣର ପ୍ରସ୍ତାବ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଛାତ୍ରୀନିବାସ ଗୁଡିକର ଅବସ୍ଥାକୁ ଦେଖି ପୁରୁଣା ଏବଂ ବିପଦସଂକୁଳ ରହିଥିଲେ ଏସବୁକୁ ଭାଙ୍ଗି ବଡ଼ ଛାତ୍ରୀନିବାସ ଓ ଛାତ୍ରନିବାସ ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। କଲେଜର ସାମଗ୍ରୀକ ବିକାଶ ପାଇଁ ବିଧାୟକ ତାଙ୍କ ପାଣ୍ଠିରୁ ୪୫ଲକ୍ଷ ଟଙ୍କା ଦେଇଥିବା ଏବଂ ଆବଶ୍ୟକ ପଡ଼ିଲେ ସେ ଦେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି।

୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ରାଜ୍ୟ ସରକାର ଅନୁମୋଦନ କରି ସାରିଥିବା ବେଳେ ଅତି ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ। ସେଭଳି ଜୟପୁର ମହିଳା ମହାବିଦ୍ୟାଳୟର ବିକାଶ ପାଇଁ ବି ସେ ୨୦ଲକ୍ଷ ତାଙ୍କ ପାଣ୍ଠିରେ ଦେଇଛନ୍ତି ବୋଲି ସୂଚନା ଦେଇଥିଲେ। ପୂର୍ବରୁ ଆଇଟିଡିଏ ପକ୍ଷରୁ ନିର୍ମାଣ କରାଯାଇଥିବା ଛାତ୍ରୀନିବାସ ରହିବା ଯୋଗ୍ୟ ନୁହେଁ ଏବଂ ନିମ୍ନମାନର କାମ ହୋଇଛି। ତେଣୁ ମହିଳା ମହାବିଦ୍ୟାଳୟରେ ଆଉ ଗୋଟିଏ ନୂଆ ଛାତ୍ରୀନିବାସ ଖୋଲାଯିବାର ପ୍ରସ୍ତାବ ରହିଛି ବୋଲି କହିଛନ୍ତି ବିଧାୟକ ।

ସମ୍ବନ୍ଧିତ ଖବର