ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ମଣ୍ଡିଗୁଡ଼ିକରେ ଚାଷୀମାନେ ଯେମିତି ସୁବିଧାରେ ଧାନ ବିକି ପାରିବେ ତା’ର ତଦାରଖ କରିବା ପାଇଁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଅସାଧୁ ବେପାରୀଙ୍କ ଜରିଆରେ ନିମ୍ନମାନର ଧାନ ଆସୁଥିବା ଅଭିଯୋଗ ଉପରେ ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସତର୍କ କରିଛନ୍ତି। ବୀରମହାରାଜପୁର ତହସିଲ ଅନ୍ତର୍ଗତ ହିଲୁଙ୍ଗ ପ୍ୟାକ୍ସରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଜମା ହେଉଥିବା ନିମ୍ନମାନର ଧାନ ଏବଂ ପ୍ରକୃତ ଚାଷୀ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଏକାଧିକ ଅଭିଯୋଗ ପରେ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ବିବୁଧ ଗଣନାୟକଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଏଠାରେ ନିର୍ଦ୍ଧାରିତ ମାନ ନଥିବା ଧାନ ସବୁ ଜମା ହୋଇ ରହିଛି। ଏହା ଦ୍ୱାରା ପରବର୍ତ୍ତୀ ସମୟରେ ଟୋକନ ପାଇଥିବା ଏବଂ ଭଲ ମାନର ଧାନ ରଖିଥିବା ଚାଷୀ ବିକି ନ ପାରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଜମା ଥିବା ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ବୀରମହାରାଜପୁର ଆର୍ଏମ୍ସି ସମ୍ପାଦକ ଓ ଏଆରସିଏସ୍ଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଦଳ ହିଲୁଙ୍ଗ ମଣ୍ଡିରେ ପହଞ୍ଚି ତଦନ୍ତ କରିଛି। ନିର୍ଦ୍ଧାରିତ ମାନ ନ ଥିବା ଧାନ ସବୁ କେଉଁ ପରିସ୍ଥିତିରେ ଏଠାରେ ଜମା ହୋଇ ରହିଛି ତା’ର କୈଫିୟତ ପ୍ୟାକ୍ସ ସମ୍ପାଦକଙ୍କୁ ଏଆରସିସ୍ ମାଗିଥିବା ଜଣାପଡ଼ିଛି। ହିଲୁଙ୍ଗ ପ୍ୟାକ୍ସ ସହିତ ବୀରମହାରାଜପୁରର ସମସ୍ତ ମଣ୍ଡି ଉପରେ ତୀକ୍ଷ୍ଣ ନଜର ରଖି ଯେଭଳି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଧାନ ସବୁ ମଣ୍ଡିମାନଙ୍କରେ ଜମା ନ ହେବ ଓ ପ୍ରକୃତ ଚାଷୀ ଧାନ ବିକିବା ବେଳେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବ ତା’ ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବୀରମହାରାଜପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ଉଫୁଲା ମଣ୍ଡିର ସମସ୍ୟା ଶୀଘ୍ର ସମାଧନ ହୋଇପାରିଛି।