ଡିଏମଏଫ ଓ ଓମବାଡ଼ିସି ପାଣ୍ଠି ବିନିଯୋଗ ନେଇ ଅଙ୍କୁଶ ଲଗାଇଲେ ସଚିବ

ଆଗେ ଜମି ଅଧିଗ୍ରହଣ, ପରେ ଟଙ୍କା ଖର୍ଚ୍ଚ,

ଭୁବନେଶ୍ବର: ଆଗେ ଜମି ଅଧିଗ୍ରହଣ କରି ପରେ ପ୍ରକଳ୍ପ ପାଇଁ ଟେଣ୍ଡର କରିବ। ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି (ଡିଏମଏଫ) ଓ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ପାଣ୍ଠି ନିଗମ (ଓମବାଡ଼ସି) ପାଣ୍ଠି ବିନିଯୋଗ ନେଇ ସବୁ ଜିଲ୍ଲାପାଳମାନଙ୍କୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା। ଉଭୟ ପାଣ୍ଠି ବିନିଯୋଗରେ ହାତକୁ ନିଆଯାଉଥିବା ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଉପରେ ପ୍ରମୁଖ ସଚିବ ଶ୍ରୀ ଜେନା ଗୁରୁତ୍ବ ଦେଇଛନ୍ତି। ଗୁରୁବାର ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ଲେଖିଥିବା ୩ ପୃଷ୍ଠା ସମ୍ବଳିତ ଚିଠିରେ ଦର୍ଶାଇଛନ୍ତି, ଡିଏମଏଫ ଓ ଓମବାଡ଼ସି ପାଣ୍ଠି ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ପାଇଁ ଟେଣ୍ଡର ହେବା ସତ୍ତ୍ବେ ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ରାସ୍ତା, କୋଠା ନିର୍ମାଣ କରିବାରେ ଅହେତୁକ ବିଳମ୍ବ ହେଉଛି। ଏହାଯୋଗୁଁ ପ୍ରକଳ୍ପ ବାବଦରେ ବ୍ୟୟବରାଦ ବୃଦ୍ଧି ପାଉଛି। ଆଉ ଏଣିକି ପ୍ରକଳ୍ପ ବାବଦରେ ବର୍ଦ୍ଧିତ ଅର୍ଥକୁ ଅନୁମୋଦନ କରିବା ସମ୍ଭବପର ନୁହେଁ। ତେଣୁ ଏଣିକି ଜମି ଦଖଲକୁ ନ ଆସିବା ଯାଏ କୌଣସି ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯିବନି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସେ ଚିଠିରେ ତାଗିଦ୍ କରିଛନ୍ତି। ଖଣି ପ୍ରଭାବିତ ଅଞ୍ଚଳମାନଙ୍କରେ ପାରିପାର୍ଶ୍ବିକ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରଦତ୍ତ ଡିଏମଏଫ ପାଣ୍ଠି ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଖଣି ଜରିମାନା ବାବଦରେ ଆଦାୟ ହୋଇଥିବା ଅର୍ଥ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ସ୍ପେଶିଆଲ ପରପୋଜ୍ ଭେହିକଲ ବା ଓମବାଡ଼ସି ଗଠନ କରିଛନ୍ତି। ଏହି ନିଗମ ଜରିଆରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ନିୟମିତ ବ୍ୟବଧାନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସମୀକ୍ଷା କରୁଛି। ଓମବାଡ଼ସି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରା କ୍ଷମତାପ୍ରାପ୍ତ କମିଟି ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ଦ୍ବାରା କରାଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ଦ୍ବାରା ଅନୁମୋଦିତ ଉଭୟ ରାସ୍ତା ଓ କୋଠା ନିର୍ମାଣ ପ୍ରକଳ୍ପର କାର୍ଯ୍ୟାନ୍ବୟନ ଦାୟିତ୍ବ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଅନୁମୋଦନ କରାଯାଉଛି। ତେଣୁ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ଉପଯୁକ୍ତି ଜମି ଦଖଲକୁ ନ ଆଣି ପ୍ରକଳ୍ପ ପାଇଁ ଟେଣ୍ଡର ଓ ଠିକାଦାରଙ୍କ ସହ ଆଗୁଆ ଚୁକ୍ତି କରାଯାଉଥିବାରୁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ସୃଷ୍ଟି ହେଉଛି।

ଏଣିକି ନିର୍ବାହୀ ଯନ୍ତ୍ରୀମାନଙ୍କ ସହ ବିଚାରବିମର୍ଶ କରି କୋଠା ନିର୍ମାଣ ପାଇଁ ଜିଲ୍ଲାପାଳମାନେ ଜମି ଚିହ୍ନଟ କରିବେ। ସମ୍ପୃକ୍ତ ଜମି ନିର୍ବାହୀଯନ୍ତ୍ରୀଙ୍କୁ ହସ୍ତାନ୍ତର କରିବା ପରେ ହିଁ ସେଠାରେ ପ୍ରକଳ୍ପ ନିର୍ମାଣ ପାଇଁ ଏଷ୍ଟିମେଟ୍ ରିପୋର୍ଟ ପ୍ରସ୍ତୁତ ହେବ। ଓ ତାକୁ ଜିଲ୍ଲାପାଳ କିମ୍ବା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ତେଣୁ ଜିଲ୍ଲାପାଳମାନଙ୍କୁ ସେ ବ୍ୟକ୍ତିଗତ ଭାବେ ଏସବୁ କାର୍ଯ୍ୟ ତଦାରଖ କରିବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର