ବାରିପଦା: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାରିପଦା ଶାଖା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ହଡ଼ପ ହୋଇଥିଲା। ତନାଘନା ପରେ ସେଥିରୁ ୫ କୋଟି ଟଙ୍କା ଜିଲ୍ଲା ପରିଷଦ ଖାତାକୁ ଫେରିଥିଲା। ଅବଶିଷ୍ଟ ୪ କୋଟି ୫୨ ଲକ୍ଷ ଟଙ୍କା ଫେରାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଥିଲେ। ତେବେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକ‌ାରୀଙ୍କ ତାଗିଦ୍ ପରେ ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଅର୍ଥ ଫେରାଇଛନ୍ତି। ଜିଲ୍ଲା ପରିଷଦ ଖାତାରେ ଉକ୍ତ ଟଙ୍କା ଜମା କରାଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାପାଳଙ୍କ ନାଁରେ ଜାଲ୍ ଚେକ୍ ଜରିଆରେ ବ୍ୟାଙ୍କରୁ ୪ ଥରରେ ୯ କୋଟି ୫୬ ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଯୁଗ୍ମ ଦସ୍ତଖତ ବିନା ଟଙ୍କା ସ୍ଥାନାନ୍ତର ହୋଇପାରିବ ନାହିଁ। ଏଥିସହ ୨ ବର୍ଷ ହେଲା ଚେକ୍ ବ୍ୟବସ୍ଥା ନ ଥିବାରୁ ଜାଲ୍ ଚେକ୍‌ରେ ଏତେ ଗୁଡ଼ାଏ ଟଙ୍କା କେମିତି ସ୍ଥାନାନ୍ତର ହେଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଗତ ମାସ ୨୧ ତାରିଖରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଦୋଷ ଛଡ଼ାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଆଡୁ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାରେ ପହଞ୍ଚି ଛାନଭିନ୍ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ବ୍ୟାଙ୍କ କର୍ମଚ‌ାରୀଙ୍କୁ ପଚରାଉଚରା କରିବ‌ା ସହ କାଗଜପତ୍ର ଓ ସିସିଟିଭି ଫୁଟେଜ୍ ଜବତ କରିଥିଲା।

Advertisment

ଏହି ଘଟଣାରେ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଶାଖା ମୁଖ୍ୟ ପରିଚାଳକ ଓ ୪ ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଥିଲେ। ପରେ ଟଙ୍କା ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶରୁ ଗିରଫ କରିଥିଲା ଇଓଡବ୍ଲୁ। ହେଲେ ୪ କୋଟି ୫୨ ଲକ୍ଷ ଟଙ୍କ‌ା ଫେରାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଦିନ ଗଡ଼ାଇବାରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକ‌ାରୀ ରଜନୀକାନ୍ତ ସ୍ବାଇଁ କଡ଼ା ଶବ୍ଦରେ ଚିଠି ଲେଖିବା ସହ ଥାନାରେ ଏତଲା ଦିଆଯିବ ବୋଲି ସତର୍କ କରାଇ ଦେଇଥିଲେ। ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଉକ୍ତ ଟଙ୍କା ଫେରସ୍ତ କରିବାକୁ ବାଧ୍ୟ ହୋଇଛନ୍ତି।