ଜିଲ୍ଲା ଖଣିଜ ପାଣ୍ଠିରେ ୧୨ ହଜାର ପ୍ରକଳ୍ପ ଅନୁମୋଦିତ, କ୍ଷେତ୍ର ସ୍ତରରେ ବୈଷୟିକ ମାନବ ସମ୍ବଳ ବଢ଼ିବ

ଭୁବନେଶ୍ବର: ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ବିନିଯୋଗରେ ଜୁଲାଇ ମାସ ‌ଶେଷ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୧୨,୬୪୯ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି। ଏସବୁ ନିମନ୍ତେ ୮୦୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ପ୍ରତି ବିଭାଗକୁ ଜିଲ୍ଲା ଟ୍ରଷ୍ଟମାନଙ୍କ ସହାୟତା ନିମନ୍ତେ ପାଞ୍ଚ ବର୍ଷିଆ ନମୁନା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ କ୍ଷେତ୍ର ସ୍ତରରେ ବୈଷୟିକ ମାନବ ସମ୍ବଳ ବଢ଼ାଇବା ନିମନ୍ତେ ଶ୍ରୀ ତ୍ରିପାଠୀ ପଞ୍ଚାୟତିରାଜ, ଜଳସମ୍ପଦ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଜିଲ୍ଲା ଟ୍ରଷ୍ଟମାନଙ୍କ ଦ୍ବାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକର ଅଧିକାଂଶ ଭାଗ ଏହିସବୁ ବିଭାଗ ସହ ଜଡ଼ିତ। ପ୍ରକଳ୍ପଗୁଡ଼ିକର ତୁରନ୍ତ ମଞ୍ଜୁରୀ ପାଇଁ ଅଧୀକ୍ଷଣ ଯନ୍ତ୍ରୀମାନଙ୍କ ଆର୍ଥିକ ମଞ୍ଜୁରୀ କ୍ଷମତା ୪ କୋଟିରୁ ‌୧୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ପ୍ରତି ମାସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସଂପୃକ୍ତ ବିଭାଗର ସଚିବମାନେ ନିଜ ନିଜ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଡିଏମ୍‌ଏଫ୍‌ ପ୍ରକଳ୍ପ ବାବଦରେ ଅନୁପ୍ରେରିତ କରିବା ସହ କାର୍ଯ୍ୟାନ୍ବୟନ ଉପରେ ନଜର ରଖିବାକୁ କୁହାଯାଇଥିଲା। ଜିଲ୍ଲା ୱାରି ସମୀକ୍ଷାରୁ ଜଣାପଡ଼ିଛି, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଡିଏମ୍‌ଏଫ୍‌ ପାଣ୍ଠି ସଂଗ୍ରହ ଏବଂ ବିନିଯୋଗ ସର୍ବାଧିକ। ଜୁଲାଇ ମାସ ଶେଷ ସୁଦ୍ଧ‌ା ଅନୁମୋଦିତ ୧୨,୬୪୯ଟି ପ୍ରକଳ୍ପ ମଧ୍ୟରୁ ୧୧,୧୨୬ଟି ପ୍ରକଳ୍ପ ଏହି ୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ପି କେ ଜେନା, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍, ଜଳସମ୍ପଦ ସଚିବ ବିଶାଲ ଗଗନ, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର