ସୋନପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିରୋ କାଜୁଆଲିଟି ଉପରେ ବୈଠକରେ ଗରୁତ୍ବାରୋପ କରାଯାଇଛି। ଆସନ୍ତା ଜୁନ୍‌ ୧ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଦୈନନ୍ଦିନ ବୃଷ୍ଟିପାତ ସମ୍ପର୍କିତ ରି‌ପୋର୍ଟ ଦେବାକୁ ସମସ୍ତ ବିଡିଓ, ତହସିଲଦାର ଏବଂ ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଜୁନ ୧ ତାରିଖରୁ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଜିଲ୍ଲା ସଦର ମହକୁମା ସହ ସମସ୍ତ ବ୍ଲକ, ତହସିଲ ଏବଂ ଥାନାରେ କାର୍ଯ୍ୟ କରିବ।

Advertisment

ଟେଲିଫୋନ ଲାଇନ ଠିକ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ନଦୀ, କେନାଲ, ଡ୍ୟାମ ଗୁଡ଼ିକର ଦୁର୍ବଳ ସ୍ଥାନ ଚିହ୍ନଟ କରି ଏହାର ମରାମତି ଏବଂ ଆଡ଼ିବନ୍ଧ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଦୀକୂଳରେ ଥିବା ଗାଁ ଗୁଡ଼ିକୁ କିପରି ବନ୍ୟା ଦାଉରୁ ରକ୍ଷା କରାଯାଇପାରିବ ସେନେଇ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୌର ଅଧିକାରୀ ଏବଂ ତେଲ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ଥିବା ବିଭିନ୍ନ ନାଳ, ନର୍ଦ୍ଦମା ଗୁଡ଼ିକ ବର୍ଷା ପୂର୍ବରୁ ସଫା କରିବା, ବନ୍ୟା ପ୍ଲାବିତ ଅଞ୍ଚଳ ଗୁଡ଼ିକରେ ଅସ୍ଥାୟୀ ପୁଲିସ ୱାରଲେସ ଷ୍ଟେସନ ସ୍ଥାପନ କରିବା, ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ବନ୍ୟା ପ୍ଲାବିତ ଅଞ୍ଚଳରେ ଆବଶ୍ୟକ ଶୁଖା ଖାଦ୍ୟ ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ବନ୍ୟା ପୂର୍ବରୁ ଆବଶ୍ୟକ ଔଷଧ ଏବଂ ଗୋଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କୁ ପରାମର୍ଶ ଦିଆଯାଇଛି। ପ୍ରତିକୂଳ ପରିସ୍ଥିତିରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଦିଗରେ ବିଦ୍ୟୁତ ବିଭାଗ ପଦକ୍ଷେପ ନେବେ। ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୃଷକମାନଙ୍କୁ ଆବଶ୍ୟକୀୟ ବିହନ, କୀଟନାଶକ ଓ କୃଷି ସମ୍ବନ୍ଧୀୟ ବିଶେଷ ସୂଚନା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦାନ କରିବେ। ଏପରିକି କୃଷକମାନଙ୍କ ଫସଲ ବୀମାକରଣ ଦିଗରେ ମଧ୍ୟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ସମୟରେ ଜିଲ୍ଲାରେ ଥିବା ୬ଟି ବନ୍ୟା ଆଶ୍ରୟସ୍ଥଳ ଯେପରି ଉପଯୋଗ ହୋଇପାରିବ ସେନେଇ ବିଡିଓ ଏବଂ ପୌର ଅଧିକାରୀମାନେ ପଦକ୍ଷେପ ନେବେ। ଆବଶ୍ୟକ ସ୍ଥଳେ ସ୍କୁଲ ଗୃହ ମଧ୍ୟ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇପାରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଜିଲ୍ଲାରେ ଥିବା ବେସରକାରୀ ଡଙ୍ଗାର ତାଲିକା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସେହିପରି ସମ୍ବେଦନଶୀଳ ଅଞ୍ଚଳରେ ପାୱାର ବୋଟ ଏବଂ ଦେଶୀ ଡଙ୍ଗା ପ୍ରସ୍ତୁତ ରଖିବାକୁ ଉପଜିଲ୍ଲାପାଳମାନଙ୍କୁ ଧ୍ୟାନ ଦେବାକୁ ବୈଠକରେ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବିଶ୍ବରଞ୍ଜନ ପତି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭୁପ୍ରସାଦ ପଣ୍ଡା, ତେଲ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ଯୋଜନା ଓ ପରିସଂଖ୍ୟା ଯୁଗ୍ମ ନିର୍ଦ୍ଦେଶକ ଚତୁର୍ଭୁଜ ସାହୁ, ଏସିଏଫ୍‌ ପ୍ରଫୁଲ୍ଲ ଧରୁଆ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅନନ୍ତ ପ୍ରସାଦ ପଣ୍ଡା, ଜିଲ୍ଲା ମୁଖ୍ୟ ଯେଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ, ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ସୋନପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ହୃଷୀକେଶ ଦାଶ, ସୋନପୁର ପୌର ଅଧିକାରୀ ସୂର୍ଯ୍ୟାଂଶୁ ରୁଟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜରୁରୀକାଳୀନ ଅଧିକାରୀ ଆନନ୍ଦ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡିପିଓ ବିଶ୍ବନାଥ ନାୟକ, ଅଲୋକ ଦାଶ ଏବଂ ରିତେଶ ହୋତା ସହଯୋଗ କରିଥିଲେ।