ଭୁବନେଶ୍ବର : ସୋମବାର ଅପରାହ୍ନରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ଓଡ଼ିଶା ଜିଲ୍ଲା ଯୋଜନା କମିଟି (ସଂଶୋଧନ) ବିଧେୟକ-୨୦୨୨ ପାରିତ ହୋଇଛି। ବିରୋଧୀ ଦଳ ଶିକ୍ଷକଙ୍କ ଦାବି ପୂରଣ ନେଇ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପକ୍ଷରୁ ଏହି ବିଧେୟକକୁ ପାରିତ କରିବାକୁ ପ୍ରସ୍ତାବ ଦେଇଥିଲେ।

Advertisment

ଗତକାଲି ଏହି ବିଧେୟକ ଗୃହରେ ଆଗତ ହୋଇଥିଲା ଏବଂ ଆଜି ଏହା ଉପରେ ଆଲୋଚନା ହୋଇଥିଲା। ଶାସକ ଦଳ ପକ୍ଷରୁ ବିଧ‌ାୟକ ପ୍ରଫୁଲ୍ଲ ସାମଲ ଏହି ବ‌ିଧେୟକରେ ଥିବା ବ୍ୟବସ୍ଥା ବିଷୟରେ ଗୃହକୁ ଅବଗତ କରିଥିଲେ। ଶେଷରେ ବାଚନିକ ଭୋଟ୍‌ରେ ଏହି ବିଧେୟକଟି ପାରିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ମ୍ୟୁନିସପାଲଟିର ଅଧ୍ୟକ୍ଷ ଏବଂ ମହାନଗର ନିଗମର ମେୟରମାନଙ୍କୁ ଜିଲ୍ଲା ଯୋଜନା କମିଟିରେ ସାମିଲ୍‌ କରିବା ନେଇ ରାଜ୍ୟ ସରକାର ଓଡ଼ିଶା ଜିଲ୍ଲା ଯୋଜନା କମିଟି ଅଧିନିୟମ, ୧୯୯୮କୁ ସଂଶୋଧନ କରିଛନ୍ତି। ଏହାଦ୍ବାରା ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ପାଇଁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇପାରିବ।