ସମ୍ବଲପୁର: ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ (ଡିଏଏ) ଓ ସମ୍ବଲପୁର ଗଣମାଧ୍ୟମ ଏକାଦଶ (ମିଡିଆ-୧୧) ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଟି୨୦ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏହି ମ୍ୟାଚ୍ରେ ସୁନୀଲ ସାହୁଙ୍କ ଅଧିନାୟକତ୍ବରେ ଖେଳିଥିବା ଡିଏଏ ୪ ରନ୍ରେ ସୁବ୍ରତ ମିଶ୍ରଙ୍କ ନେତୃତ୍ବାଧୀନ ମିଡିଆକୁ ପରାସ୍ତ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କ୍ରୀଡ଼ା ସଂଘ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଦଳ ପକ୍ଷରୁ ଦୁଲାଲ ଚନ୍ଦ୍ର ପ୍ରଧାନ ୨ ଛକା ବଳରେ ୧୯ ବଲ୍ରୁ ସର୍ବାଧିକ ୧୮ ରନ୍ କରିଥିଲେ।
ମିଡିଆ ତରଫରୁ ମଳୟ ପରିଡ଼ା ଚମତ୍କାର ବୋଲିଂ କରି ୫ ୱିକେଟ୍ ଦଖଲ କରିଥିଲେ। ସେ ୪ ଓଭର୍ରେ ଗୋଟିଏ ମେଡେନ୍ ସହ ମାତ୍ର ୧୧ ରନ୍ ଦେଇ ଏହି ସଫଳତା ପାଇଥିଲେ। ଏହା ବ୍ୟତୀତ ଶ୍ରବଣ ପତି ୨ ୱିକେଟ୍, ବାଦଶାହ ଯୁଶ୍ମନ ରାଣା ଏବଂ ସତ୍ୟଜିତ ମହାପାତ୍ର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ମିଡିଆ ଦଳ ଲଢ଼ୁଆ ବ୍ୟାଟିଂ କରି ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଜ୍ୟୋତିରଂଜନ ନାଏକ ୧୮ ବଲ୍ରୁ ୩ ଚୌକା ବଳରେ ସର୍ବାଧିକ ୧୭ ରନ୍, ଜ୍ୟୋତିଷ ମହାନ୍ତି ୧୪ ରନ୍, ଗୌତମ ମିଶ୍ର ୧୧ ଏବଂ ସରୋଜ ସାହୁ ଅପରାଜିତ ୧୧ ରନ୍ କରିଥିଲେ। ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ୩, କୁନ୍ଦନ ପ୍ରଧାନ, ଅବଦୁଲ ଗଫର ଏବଂ ମନୋଜ ପଣ୍ଡା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ମଳୟ ପରିଡ଼ା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ଡାକ୍ତର ମନୋଜ ନନ୍ଦ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଡିଏଏ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ସଂପାଦକ ସୁନୀଲ ସାହୁ ଧନ୍ୟବାଦ ଦେଇଥିଲେ।