ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡ଼ାବାନ୍ତି

ଝାରସୁଗୁଡ଼ାରେ ଆଖି ବୁଜିଲେ ବାପ-ପୁଅ, କାଶୀପୁରରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ଝାରସୁଗୁଡ଼ା : ରାୟଗଡ଼ା ଜିଲ୍ଲାର କାଶିପୁର ପରେ ଏବେ ଶିଳ୍ପନଗରୀ ଝାରସୁଗୁଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି ରୋଗ। ଏହା ଏତେ ଉଗ୍ରରୂପ ନେଲାଣି ଯେ ଝାଡ଼ାବାନ୍ତି ‌ଗତ ଦୁଇଦିନରେ ଗୋଟିଏ ପରିବାରର ବାପ-ପୁଅଙ୍କ ଜୀବନ ନେଇଛି। ପ୍ରାୟ ୨୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଗତ ଗୁରୁବାର ରାତିରେ ଲିଟିପଡ଼ାର ଅକ୍ରୁର ପ୍ରଧାନ (୪୦)ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବାବେଳେ ପରଦିନ ଅର୍ଥାତ୍‌ ଶୁକ୍ରବାର ରାତିରେ ତାଙ୍କ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ପୁଅର ଦାହ ସଂସ୍କାର ପରେ ବାପା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତେବେ, ହସ୍ପିଟାଲ୍‌ରେ ବେଡ୍‌ ଖାଲି ନଥିବାରୁ ତାଙ୍କୁ ବାରଣ୍ଡାରେ ରଖାଯାଇଥିଲା। ହସ୍ପିଟାଲ ପ୍ରେସ୍କ୍ରିପ୍ସନ୍‌ ଟିକଟରେ ତାଙ୍କ ନାମକୁ ଶ୍ରୀପ୍ରସାଦ ସ୍ଥାନରେ ଶିବପ୍ରସାଦ ବୋଲି କର୍ମଚାରୀମାନେ ଲେଖିଦେଇଥିବାରୁ ତାଙ୍କୁ ଚିକତ୍ସା ଯୋଗାଇ ‌ଦିଆଯାଇ ନଥିଲା, ଯଦ୍ବାରା ତାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡ୍ରାଇଭର କାମ କରୁଥିବା ପୁଅର ଅକାଳ ମୃତ୍ୟୁ‌ ପରେ ବାପାଙ୍କ ମୃତ୍ୟୁ ସାରା ଗ୍ରାମକୁ ସ୍ତବ୍ଧ କରି ଦେଇଛି।

ଅନ୍ୟପକ୍ଷରେ, ମୃତ ଅକ୍ରୁରଙ୍କ ପତ୍ନୀ ଅଞ୍ଜଳି ପ୍ରଧାନ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି; କୀର୍ତ୍ତନ ପ୍ରଧାନ, ଶୁକ୍ରୁ ପ୍ରଧାନ ପ୍ରମୁଖ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ସେମାନଙ୍କ ଝିଅମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ପାନ୍ନାପଡ଼ାର ଭରତ ପ୍ରଧାନ, ଅମ୍ବିକା ପ୍ରଧାନ, କମଳା ପ୍ରଧାନ, ବଇଦପଡ଼ାର ଚିନ୍ତାମଣି ପ୍ରଧାନ ଓ ଅନ୍ୟମାନେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଅନେକ ଆକ୍ରାନ୍ତ ନିଜେ ନିଜେ ହସ୍ପିଟାଲ ଯାଇ ଭର୍ତ୍ତି ହୋଇଥିବାବେଳେ ଆଉ କିଛି ଆକ୍ରାନ୍ତ ଘରେ ଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ସିଡିଏମ୍‌ ଡା.ଡୋଳାମଣି ପଟେଲ କହିଛନ୍ତି, ଝାଡ଼ାବାନ୍ତି ସଂପର୍କରେ ତାଙ୍କ ପାଖରେ ଖବର ଅଛି ଓ ଏଥିପାଇଁ ଡାକ୍ତରୀ ଦଳକୁ ପଠାଯିବା ବ୍ୟବସ୍ଥା କରାଯାଉଛି। ତେବେ, କେଉଁ କାରଣରୁ ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି ତାହା ଜଣା ପଡ଼ିନଥିବା କହିଛନ୍ତି।

ଅନ୍ୟପକ୍ଷରେ, ଝାଡ଼ାବାନ୍ତିର କାରଣ ଜାଣିବାକୁ ହେଲେ ସେମାନେ ପିଉଥିବା ପାଣିକୁ ପ୍ରଥମେ ପରୀକ୍ଷା କରିବାକୁ ହେବ। ଏହାବ୍ୟତୀତ ସେମାନେ କ’ଣ ଖାଇଥିଲେ ତାକୁ ମଧ୍ୟ ତର୍ଜମା କରିବାକୁ ହେବ ବୋଲି ମେଡିକାଲ ଅଫସର୍‌ ଡା. ରତ୍ନାକର ଚୌଧୁରୀ କହିଛନ୍ତି।

କାଶୀପୁରରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ୪୪ ଆକ୍ରାନ୍ତ ଚିକିତ୍ସାଧୀନ

କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗୋଟାଇ ଚାଲିଛି ମାରାତ୍ମକ କଲେରା। ଆଜି ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହାଡ଼ିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକିରାପଡ଼ା ଗାଁର ଗୁରୁବାରି‌ ଦୋରା ବୋଲି ସୂଚନା ମିଳିଛି। ଏହାପରେ କଲେରା ଜନିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।

କଲେରାରେ ଆକ୍ରାନ୍ତ ଗୁରୁବାରିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ୨୨ତାରିଖରେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସା ସତ୍ତ୍ବେ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗତ ୨୭ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ କାରଣରୁ ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି, ତାହା ଜାଣିବା ପାଇଁ ଡାକ୍ତର ବିଭିନ୍ନ ପରୀକ୍ଷା କରିଥିଲେ। ଶେଷରେ କିଡ୍‌ନିରେ ସମସ୍ୟା ଥିବା ରିପୋର୍ଟ ମିଳିଥିଲା। ଏହାପରେ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାପାଇଁ ଡାକ୍ତର କହିଥିଲେ। କିନ୍ତୁ, ପରିବାର ଲୋକ ଆକ୍ରାନ୍ତଙ୍କୁ କୋରାପୁଟ ନେବା ପରିବର୍ତ୍ତେ ନିଜ ଘରକୁ ନେଇଆସିଥିଲେ। ଆଜି ସକାଳେ ଗୁରୁବାରିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି।

ଗୁରୁବାରିଙ୍କ ଦେହାନ୍ତ ପରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବାବେଳେ ସରକାରୀ ହିସାବରେ ଆଜି ସୁଦ୍ଧା‌ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି, ୩ଶହରୁ ଊର୍ଦ୍ଧ୍ବ ଜଣ ଆକ୍ରାନ୍ତ ହୋଇ ସାରିଲେଣି ଏବଂ ୩୭୫ ଗାଁକୁ ସର୍ଭେଲାନ୍ସରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ସଚେତନତା ସତ୍ତ୍ୱେ କାଶୀପୁରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବା ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ଯଦି ଶୀଘ୍ର ପରିସ୍ଥିତିରେ ସୁଧାର ନ ଆସିବ, ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଡାଇରିଆ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା କାଶୀପୁର ଗସ୍ତ କରିବେ ବୋଲି ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର