ଲାଞ୍ଚ ନେଇ ଧରାପଡ଼ିଲେ : ଭିଜିଲାନ୍ସ ଜାଲରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଭ୍ୟାନିଟିରୁ ମିଳିଲା ଲକ୍ଷେ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ। ମଙ୍ଗଳ ବିଭାଗର ଜଣେ ସହାୟକ ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି।

ବିଭାଗୀୟ ସୂତ୍ରରୁ ପ୍ରକାଶ, ଛେଣ୍ଡିପଦା ଅଞ୍ଚଳର ଚତୁର୍ଭୁଜ ପୋଢ଼ ନାମକ ଜଣେ ବ୍ୟକ୍ତି ୨୦୦୬ ମସିହାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ ତଥା ରୋଷେୟା ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ସେ ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ ଚାରୁଲତା ମଲ୍ଲିକ ଥିଲେ। ଚାରୁଲତା ଚତୁର୍ଭୁଜଙ୍କୁ ଚାକିରି କରାଇ ଦେଇଥିବା କହି ସେତେବେଳେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତୀ ସମୟରେ ଚାରୁଲତାଙ୍କର ବଦଳି ହୋଇଯାଇଥିଲା। ତେଣୁ ଚତୁର୍ଭୁଜ ଆଉ ଟଙ୍କା ଦେଇ ନ ଥିଲେ। ଏହାର କିଛି ବର୍ଷ ବ୍ୟବଧାନରେ ଚାରୁଲତା ପୁଣି ଅନୁଗୁଳ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ। ଆଉ ଚତୁର୍ଭୁଜଙ୍କୁ ୨୦୦୬ ମସିହାରେ ଚାକିରି କରାଇଦେଇଥିବା କହି ପୁରୁଣା ଟଙ୍କା ମାଗିଥିଲେ। ତେବେ ଚତୁର୍ଭୁଜ ଟଙ୍କା ଦେବାକୁ ସକ୍ଷମ ନ ଥିବା କହିଥିଲେ। ଫଳରେ ଚାରୁଲତା ଆକ୍ରୋଶମୂଳକ ଭାବେ ଗତ ୩ ମାସ ହେଲା ଚତୁର୍ଭୁଜଙ୍କ ଦରମା ବନ୍ଦ କରି ଦେଇଛନ୍ତି। ଆଉ ଏହି ଦରମା କରାଇଦେବା ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୪୯ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା। ହେଲେ, ଚତୁର୍ଭୁଜ ଏତେ ପରିମାଣର ଟଙ୍କା ଯୋଗାଡ଼ କରି ନପାରି ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ।

ଯୋଜନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ବେଳେ ସମାଜ ମଙ୍ଗଳ ଅଧିକାରୀଙ୍କୁ ଚତୁର୍ଭୁଜ ତାଙ୍କ ଅଫିସ୍‌ ପ୍ରକୋଷ୍ଠରେ ଭେଟି ୪୯ ହଜାର ଟଙ୍କା ଦେବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚାରୁଲତାଙ୍କୁ କାବୁ କରିନେଇଥିଲେ। ତାଙ୍କ ପାଖରୁ ୪୯ ହଜାର ଟଙ୍କା ଜବତ କରାଯାଇଥିଲା। ଏଥିସହ ତାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ଯାଞ୍ଚବେଳେ ମଧ୍ୟ ଲକ୍ଷେ ଟଙ୍କା ମିଳିଥିଲା। ପରେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ତାଙ୍କ ସରକାରୀ ବାସଭବନ, ଜଗତପୁରସ୍ଥିତ ଘରେ ମଧ୍ୟ ଛାନଭିନ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଚଢଉରେ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିଲୋଚନ ସ୍ବାଇଁ, ଅନୁଗୁଳ ଇନ୍ସପେକ୍ଟର ପି.କେ. ସାମଲ, ମହିଳା ଇନ୍ସପେକ୍ଟର ପ୍ରଶ୍ନା ସାହୁ, ଇନ୍ସପେକ୍ଟର ବିଜୟ ସେଠୀ, ଏସ୍‌ଆଇ ସିଦ୍ଧାର୍ଥ ରାଉତଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର