ନୟାଗଡ଼ : ଫାଇଭ୍-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ଙ୍କ ଗସ୍ତକୁ ଜିଲ୍ଲାବ୍ୟାପୀ ଗୁରୁବାର ଦିନ କଂଗ୍ରେସ, ବିଜେପି ପକ୍ଷରୁ ବିରୋଧ କରାଯାଇଛି। କେଉଁଠି କଳାପତାକା ଦେଖାଇ ତ କେଉଁଠି ପାଣ୍ଡିଆନ୍ ଗୋ-ବ୍ୟାକ୍ ବ୍ୟାନର୍ ଧରି ବିରୋଧ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ତ୍ରିନାଥ ଛକରେ କଂଗ୍ରେସ ପ୍ରତିବାଦ ଜଣାଇଛି। ନିର୍ବାଚିତ ଲୋକ ପ୍ରତିନିଧିମାନେ ଜଣେ ସଚିବଙ୍କ ସଭା ପାଇଁ ରାତିଦିନ ଏକ କରି ଖୁଣ୍ଟ ପୋତିବାଠାରୁ ଆରମ୍ଭ କରି ଲୋକ ବୋହିବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିବାରୁ ଜିଲ୍ଲାବାସୀଙ୍କ ଜନାଦେଶ ପ୍ରତି ଏହା ଘୋର ଅପମାନ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ରାଜ୍ୟର ପ୍ରାୟ ୩୦ରୁ ଅଧିକ ବିଜେଡି ବିଧାୟକ କଣ ପାଇଁ ନୟାଗଡ଼ ରେ ଦୁଇଦିନ ଧରି ଡେରା ପକାଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
ସଚିବଙ୍କର ଦୁଇଦିନିଆ ଗସ୍ତ ପାଇଁ ୧୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ବେସରକାରୀ ଭାବେ ଆକଳନ କରାଯାଇଛି। ଏହି ଟଙ୍କା କେଉଁଠୁ ଆସିଲା ଓ କିଏ ଖର୍ଚ୍ଚ କରିଛି ସଚିବ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଦଳୀୟ ନେତା ହୁସେନ ଖାନ୍, କମଳ ଚରଣ ସାହୁ, ଫକୀର ଚରଣ ମଲ୍ଲ, ଦିଲ୍ଲୀପ୍ କୁମାର ବିଷୋୟୀ ପ୍ରମୁଖ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ। ସେହିଭଳି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ମୁରବି ମାନେ ଚିନିକଳ କିଭଳି ତୁରନ୍ତ ଚାଲିବ, ଚାଷୀ ଶ୍ରମିକ ତାଙ୍କ ବକେୟା ପ୍ରାପ୍ୟ ଫେରିପାଇବେ ସେହି ଗୁହାରି କରିବାକୁ ଯାଉଥିବା ବେଳେ ଟାଉନ୍ ଥାନା ପୁଲିସ ସଭିଙ୍କୁ ଗିରଫ କରିନେଇଥିଲା। ସଚିବଙ୍କ ଗସ୍ତ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ନୟାଗଡ଼ ଆଖୁ ଚାଷୀ, ଶ୍ରମିକ ତାଙ୍କ ପ୍ରାପ୍ୟ ନ ପାଇବା ଅନ୍ୟାୟ ବୋଲି ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ ପ୍ରମୁଖ କ୍ରିୟାନୁଷ୍ଠାନ କମିଟି ନେତା କହିଛନ୍ତି।