ସୁନ୍ଦରଗଡ଼/ରାଉରକେଲା: ମଞ୍ଚରେ ସ୍ବତନ୍ତ୍ର ଚୌକି ପଡ଼ିଥିଲା। ଏପରିକି ଚୌକିରେ ନାମ ବି ଲଟକା ଯାଇଥିଲା। କିନ୍ତୁ ଆସି ନଥିଲେ ଦଳର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ମଙ୍ଗଳା କିସାନ ଓ ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ। ଶେଷ ପର୍ଯ୍ୟନ୍ତ ମଙ୍ଗଳାଙ୍କ ଚୌକି ଖାଲି ପଡ଼ିଥିବା ବେଳେ ପ୍ରଫୁଲ୍ଲଙ୍କ ଚୌକିରେ କିଛି ସମୟ ପାଇଁ ସଂଖ୍ୟାଲଘୁ ଜିଲ୍ଲା ସଭାପତି ମହମ୍ମଦ ସଇଦ ବସିଥିଲେ। ଅନ୍ୟପଟେ କର୍ମୀଙ୍କ ସହ ଗ୍ୟାଲେରିରେ ବସିଥିବା ଜିଲ୍ଲା ମହିଳା ସଭାନେତ୍ରୀ ରଂଜନା ପଣ୍ଡାଙ୍କୁ ମଞ୍ଚକୁ ଡକା ନଯିବାରୁ କିଛି ସମୟ ପରେ ସେ ଉଠି ଚାଲି ଯାଇଥିଲେ। ସମାନ ଚିତ୍ର ଦେଖିବାକୁ ମିଳିଥିବା ରାଉରକେଲା କାର୍ଯ୍ୟକାରିଣୀ ବୈଠକରେ। ଏଠି ମଧ୍ୟ ବିଜେଡିର ରାଜ୍ୟସ୍ତରୀୟ ବରିଷ୍ଠ ନେତା, ଯୁବକ ଓ ଛାତ୍ରଙ୍କୁ ଡକାଯାଇ ନଥିବା ଚର୍ଚ୍ଚା ହେଉଛି। ଉଭୟ ସ୍ଥାନରେ ଅନୁଷ୍ଠିତ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀରେ ଏ ଦୃଶ୍ୟ କର୍ମୀମହଲରେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିଥିଲା। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ମନ୍ତ୍ରୀ ସାରଦାପ୍ରସାଦ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଦଳର ମଙ୍ଗଳା କିସାନ, ପୂର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମାଝି, ବରିଷ୍ଠ ନେତ୍ରୀ ମିନତୀ ଦେବତା,ରାଜ୍ୟ ସଂଖ୍ୟାଲଘୁ ସେଲର ଉପସଭାପତି ଯଶବିନ୍ଦର ସିଂ ଗୋଲ୍ଡି, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବିନ୍ଦ୍ର ପ୍ରଧାନ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ସୌମ୍ୟ ଜେନା, ପ୍ରକାଶ ପାଶ୍ବାନ, ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବାବୁ ଖାନ୍ଙ୍କ ସମେତ ବହୁ ବରିଷ୍ଠ ଓ ଯୁବନେତାଙ୍କ ଅନୁପସ୍ଥିତି ଏବେ ଜିଲ୍ଲା ରାଜନୀତିରେ ଭିନ୍ନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ସେପଟେ ଆମନ୍ତ୍ରଣ ସତ୍ତ୍ବେ କେଉଁ କାରଣରୁ ମଙ୍ଗଳା ଓ ପ୍ରଫୁଲ୍ଲ ବୈଠକକୁ ଆସିଲେ ନାହିଁ, ଦଳ ସେମାନଙ୍କୁ ଅସନ୍ତୁଷ୍ଟ କରିଛି କି, ଏହା ପରେ ସେମାନେ କିଛି ଭିନ୍ନ ନିଷ୍ପତ୍ତି ନେବାକୁ ଯୋଜନା କରିଛନ୍ତି କି ଏପରି ଅନେକ ପ୍ରଶ୍ନ ରାଜନୈତିକ ମହଲରେ ଉଙ୍କି ମାରିଛି। ତେବେ ଚର୍ଚ୍ଚା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ବରିଷ୍ଠ ନେତା ମଙ୍ଗଳା କିସାନ ଦଳ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ବିରୋଧୀମାନଙ୍କୁ ସାଂଗଠନିକ ଦାୟିତ୍ବ ଦେଇ ଦଳ ତାଙ୍କୁ ଏକ ପ୍ରକାର କୋଣଠେସା କରି ଦେଇଛି। ଏପରିକି ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରର ରାଜଗାଙ୍ଗପୁର, କୁତ୍ରା ଏବଂ ଲାଠିକଟା ସହ ରାଜଗାଙ୍ଗପୁର ପୌରାଞ୍ଚଳର ସଂଗଠନ ଦାୟିତ୍ବ ଦେବାକୁ ଶ୍ରୀ କିସାନ ଯେଉଁମାନଙ୍କ ନାମ ସୁପାରିସ କରିଥିଲେ, ସେମାନଙ୍କୁ ଦଳ ଗ୍ରହଣ ନକରି ତାଙ୍କ ଘୋର ବିରୋଧୀମାନଙ୍କୁ ସ୍ଥାନ ଦେଇଥିବା ଅଭିଯୋଗ ରହିଛି। ମଙ୍ଗଳାଙ୍କଠାରୁ ୨୫ବର୍ଷରୁ ଦୂରେଇ ଯାଇଥିବା ପୁରୁଖା ନେତା ଚୈତନ୍ୟ ପ୍ରସାଦ ମହାନ୍ତି ଏବଂ ତାଙ୍କ ପୁତ୍ର ରାଜେନ୍ଦ୍ର ମହାନ୍ତିଙ୍କୁ ଦଳ ଯଥାକ୍ରମେ ଉପଦେଷ୍ଟା ଓ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛି। ସେହିପରି ଶ୍ରୀ କିସାନଙ୍କ ସହ ନିର୍ବାଚନରେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିବା ବିକ୍ରମ ଟପ୍ପୋଙ୍କୁ ଦଳକୁ ଫେରାଇ ଆଣି ଉପ-ସଭପତି ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୦ରୁ ରାଜନୀତି ଆରମ୍ଭ କରି ଜନତା ଦଳ ଓ ବିଜୁ ଜନତା ଦଳ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବି ସମ୍ଭାଳିଥିବା ଶ୍ରୀ କିସାନଙ୍କୁ ସଂଗଠନରେ ଅଣଦେଖା କରାଯାଉଥିବାରୁ ସେ ଘୋର ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଛି। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ତ୍ରିବେଣୀ ମାଝୀଙ୍କୁ ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷ କରାଇ ନଦେବାକୁ ଜିଲ୍ଲା ବିଜେଡିର କିଛି ବରିଷ୍ଠ ନେତା ରଣନୀତି ଚଳାଇ ସଫଳ ହୋଇଥିଲେ। ଯାହାକୁ ନେଇ ପ୍ରଫୁଲ୍ଲ ଖପ୍ପା ଥିଲେ। ଏସ୍ଥିତିରେ ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତଳସରା ବିଧାନସଭା କ୍ଷେତ୍ର ପାଇଁ ଜିଲ୍ଲା ସଭାପତି ବିନୟ ଟପ୍ପୋଙ୍କୁ ଦଳ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେବା ଡ. ମାଝୀଙ୍କୁ ଘୋର ଅସନ୍ତୁଷ୍ଟ କରିଥାଇପାରେ। ଏହା ମଧ୍ୟରେ ପ୍ରଫୁଲ୍ଲଙ୍କ ଘର ବାହୁଡ଼ା କଥା ମଧ୍ୟ ଆଲୋଚନା ହେଉଛି। ହୁଏତ ଏସବୁ କାରଣରୁ ସେ ବୈଠକରେ ଯୋଗ ଦେଇ ନଥିବେ ବୋଲି କୁହାଯାଉଛି। ରାଉରକେଲା ଲାଗି ରହିଥିବା ବିଜେଡିର ଅର୍ନ୍ତଦ୍ବନ୍ଦ ଆସନ୍ତା ୨୦୨୪ ନିର୍ବାଚନରେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତଦେଇଛନ୍ତି।
ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ: ଯୋଗଦେଲେନି ମଙ୍ଗଳା, ପ୍ରଫୁଲ୍ଲ ଓ ଅନ୍ୟ ପୁରୁଖା ନେତା
/sambad/media/post_attachments/wp-content/uploads/2022/12/bjd-ff.jpg)