ଝାରସୁଗୁଡ଼ା ଛୁଇଁଲା ୧୦୦, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ୨ ଜଣ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି।

ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩୬୭, ଖୋର୍ଦ୍ଧାରେ ୮୧୪, କଟକରେ ୫୫୭, ଗଜପତିରେ ୪୩୫, ଯାଜପୁରରେ ୪୮୬, ବାଲେଶ୍ବରରେ ୩୪୬, ଜଗତସିଂହପୁର ଜିଲ୍ଲାରେ ୨୮୧, ପୁରୀରେ ୨୫୫, କେନ୍ଦ୍ରାପଡ଼ାରେ ୨୪୩, ଭଦ୍ରକ ଜିଲ୍ଲାରେ ୨୨୮, ସୁନ୍ଦରଗଡ଼ରେ ୧୯୧, କନ୍ଧମାଳରେ୧୭୮, ମୟୂରଭଞ୍ଜରେ ୨୦୧, ବଲାଙ୍ଗୀରରେ ୧୬୭, ନୟାଗଡ଼ରେ ୧୪୩, କେନ୍ଦୁଝରରେ ୧୩୯, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୦୦, ଢେଙ୍କାନାଳରେ ୭୬, କଳାହାଣ୍ଡିରେ ୭୧, ବରଗଡ଼ ଜିଲ୍ଲାରେ ୯୭, ଅନୁଗୁଳରେ ୬୩, ମାଲକାନଗିରିରେ ୬୦, ସମ୍ବଲପୁରରେ ୫୦, ଦେବଗଡ଼ରେ ୪୨, ବୌଦ୍ଧରେ ୪୧, ସୁବର୍ଣ୍ଣପୁର ଜିଲ୍ଲାରେ ୩୬, କୋରାପୁଟରେ୨୯, ରାୟଗଡ଼ା ଜିଲ୍ଲାରେ ୩୯ ଓ ନବରଙ୍ଗପୁର ଜିଲ୍ଲାରେ ୪୨ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୪୭୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୬ ରହିଛି। ଅପରପକ୍ଷରେ ୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର