ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନ ସମସ୍ତଙ୍କୁ ଚକିତ କରିଥିଲା। ବିଜେଡି ଧରାଶାୟୀ ହୋଇ ପଡ଼ିଥିବା ବେଳେ ବିଜେପି ବଡ଼ ଲମ୍ଫ ମାରି ଆଗକୁ ଆସିଛି। କିନ୍ତୁ ଏହା ପୂର୍ବରୁ ୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ତା’ର ସ୍ଥିତି କାଏମ ରଖିଥିଲା। ବର୍ତ୍ତମାନ ଜିଲ୍ଲାର ୧୩ ବିଧାନସଭା ଆସନ ମଧ୍ୟରୁ ୧୧ଟି ସିଟ୍‌ ବିଜେପି ହାତରେ ରହିଛି। ଏବେ ବ୍ଲକ୍‌ ଓ ପୌରାଞ୍ଚଳରେ ବିଜେପି ତା’ର କ୍ଷମତାକୁ ମଜଭୁତ କରିବାରେ ଲାଗି ପଡ଼ିଛି। ଫଳରେ ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧିଙ୍କୁ ଅନାସ୍ଥା ଅଡ଼ୁଆ ଘାରିଛି। ଜିଲ୍ଲାର ଦୁଇ ପୌରାଧ୍ୟକ୍ଷା ଅନାସ୍ଥା ଭୋଟ୍‌ରେ ହାରିବା ପରେ ବିଜେପି ଗୋଟିଏ ପୌରାଞ୍ଚଳକୁ କବ୍‌ଜା କରି ନେଇଛି। ସେହିପରି ଏକାଧିକ ସପରଞ୍ଚଙ୍କ ପଦବି ମଧ୍ୟ ଯାଇଛି। ଅନ୍ୟପଟେ ପଦ ଯିବା ଭୟରେ ବହୁ ଜନପ୍ରତିନିଧି ବିଜେଡି ଛାଡ଼ି ବିଜେପି ଶିବିରରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ ଆଗକୁ ଗଞ୍ଜାମ ଜିଲ୍ଲାରେ ଭିନ୍ନ ରାଜନୈତିକ ସମୀକରଣ ଦେଖିବାକୁ ମିଳିପାରେ।

Advertisment

ଏକାଧିକ ସରପଞ୍ଚଙ୍କ ପଦ ବି ଯାଇଛି
ବିଜେଡି ଜନପ୍ରତିନିଧି ବିଜେପିମୁହାଁ

୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୯ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ୬୭ଟି ଦଖଲ କରିଥିଲା। ସେହିପରି ୨୨ଟି ବ୍ଲକ୍‌ ମଧ୍ୟରୁ ୨୧ଟି ବ୍ଲକ୍‌ ଅଧ୍ୟକ୍ଷ ପଦ ବିଜେଡି କବ୍‌ଜା କରିଥିଲା। ଏହାସହିତ ପୌରାଧ୍ୟକ୍ଷ ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡି ଖାତାରେ ୧୧ଟି ଆସନ ରହିଥିବା ବେଳେ ତିନି ବିଜେପି, ଦୁଇଟି ସ୍ବାଧୀନ ଓ ଗୋଟିଏ କଂଗ୍ରେସ ହାତରେ ରହିଥିଲା। ବିଧାୟକସ୍ତରରେ ବିଜେପି ଶାସନ କ୍ଷମତା ଦଖଲ କରିଥିବା ବେଳେ ବ୍ଲକ୍‌ ଓ ପୌରାଞ୍ଚଳ କବ୍‌ଜା କରିବା ପାଇଁ ବର୍ତ୍ତମାନ ଚାଲିଛି ଅଙ୍କକଷା। ଏହା ମଧ୍ୟରେ ଅନାସ୍ଥା ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧିଙ୍କ ପାଇଁ ଏକ ବଡ଼ ଅଡ଼ୁଆ ହୋଇଛି। ୨୦୨୨ ପୌର ନିର୍ବାଚନରେ ସ୍ବାଧୀନରେ ଛିଡ଼ା ହୋଇ ବିଜୟୀ ହୋଇଥିବା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ପ୍ରଥମେ ଅନାସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ପ୍ରିୟଙ୍କା ଅନାସ୍ଥା ଭୋଟ୍‌ରେ ପରାଜିତ ହୋଇଥିବା ବେଳେ ତାଙ୍କର ପଦ ଯାଇଥିଲା। ଏହାପରେ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଏନ୍ଏସି ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା। ଠିକ୍‌ ସେହିପରି ଗତ କିଛିଦିନ ତଳେ କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଏସ୍‌.ଲକ୍ଷ୍ମୀ ସେଠୀ ନାଟକୀୟ ଭାବେ ନିଜ ପଦ ହରାଇଥିଲେ। ତାଙ୍କ ବି‌ରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ଇସ୍ତଫା ଦେଇଥିଲେ। ହେଲେ ତାହା ମଞ୍ଜୁର ହୋଇ ପାରିନଥିଲା। ନିର୍ଦ୍ଧାରିତ ସମୟରେ ଭୋଟ୍‌ ହେଲା ଓ ୧୬ କାଉନସିଲର୍‌ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍‌ ଦେଇଥିଲେ। ସେହିପରି ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ୧୧ ଜଣ କାଉନସିଲର୍ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତାଙ୍କ ବିରୋଧରେ ମଧ୍ୟ ଅନାସ୍ଥା ଭୋଟ୍‌ ଗ୍ରହଣ ସରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଫଳାଫଳ ଘୋଷଣା ହୋଇ ନାହିଁ।

ଏହାସହିତ ଅନାସ୍ଥାରେ ବେଲଗୁଣ୍ଠା ବ୍ଲକ୍‌ର ଆମ୍ବପୁଆ, ପାଇଲିପଡ଼ା ସରପଞ୍ଚଙ୍କ ପଦ ଯାଇଥିଲା। ଭଞ୍ଜନଗର ବ୍ଲକ୍‌ ମୁଜାଗଡ଼ ପଞ୍ଚାୟତର ସରପଞ୍ଚ ମଧ୍ୟ ଅନାସ୍ଥାରେ ପରାସ୍ତ ହୋଇଥିଲେ। ଗଞ୍ଜାମ ବ୍ଲକ୍‌ ସାନରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ମନୋଜ କୁମାର ବେହେରାଙ୍କ ବିରୋଧରେ ଅନାସ୍ଥା ପାଇଁ ୱାର୍ଡମେମ୍ବର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସରପଞ୍ଚ ମନୋଜ ଇସ୍ତଫା ଦେଇଥିଲେ। ଏହା ସହିତ ଶେରଗଡ଼ ବ୍ଲକ୍‌ର ଗୋଠଗାଁ ଏବଂ ପିତ୍ତଳ ସରପଞ୍ଚଙ୍କ ବିରୋଧରେ ମଧ୍ୟ ଅନାସ୍ଥା ଆଗତ ପାଇଁ ୱାର୍ଡମେମ୍ବର ଦାବି କରିଥିଲେ। ବର୍ତ୍ତମାନ ସୁଦ୍ଧା ଅନାସ୍ଥା ଭୋଟ୍‌ ଗ୍ରହଣ ହୋଇ ନାହିଁ। ଅନାସ୍ଥା ଭୟରେ କିଛି ଜନପ୍ରତିନିଧି ବର୍ତ୍ତମାନ ବି‌ଜେପି ଶିବିରରେ ଶରଣ ନେଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ଦୈତାରୀ ବେହେରାଙ୍କୁ ବ୍ଲକ୍‌ ଅଧ୍ୟକ୍ଷ ପଦବି ଛାଡ଼ିବାକୁ ପଡ଼ିଥିଲା। ଆସିକାର ପୂର୍ବତନ ବିଜେଡି ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ପୁତ୍ରବଧୂ ଜ୍ୟୋତିର୍ମୟୀ ସ୍ବାଇଁ ସାଧାରଣ ନିର୍ବାଚନ ପୂର୍ବରୁ କବିସୂର୍ଯ୍ୟନଗର ବ୍ଲକ୍‌ ଅଧ୍ୟକ୍ଷା ପଦବିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଏହି ଦୁଇଟି ବ୍ଲକ୍‌କୁ ବିଜେପି ସମର୍ଥିତ ପ୍ରାର୍ଥୀ କବ୍‌ଜା କରିଛନ୍ତି। ଉଭୟ ନିର୍ବାଚନମଣ୍ଡଳୀ ମଧ୍ୟ ବିଜେପି ହାତରେ ରହିଛି।