ଅଶାନ୍ତ ବାଲେଶ୍ବର: ବିଚ୍‌ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଝାମ୍ପି ନେଲେ ୩ ଲକ୍ଷ

ପୁଣି ଆତଙ୍କ ରଚିଲେ ଅପରାଧୀ ଗୋଷ୍ଠୀ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସହରରେ ଅପରାଧୀ ଗୋଷ୍ଠୀ ଆଜି ପୁଣି ଆତଙ୍କ ରଚିଛନ୍ତି। ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ମାରଣାସ୍ତ୍ର ଦେଖାଇ ଜଣେ ଲୋକଠାରୁ ଟଙ୍କାବ୍ୟାଗ୍‌ ଛଡ଼ାଇ ନେଇଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ବାଲେଶ୍ବରରୁ ଚାନ୍ଦିପୁର ଯିବା ରାସ୍ତା‌େର ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଜଣାଯାଇଛି

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ୧୦ଟା ବେଳେ ଚାନ୍ଦିପୁର ରାସ୍ତାର ଗଛମାଳିଆ ଛକଠାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାକଡ଼କୁ ଫିଙ୍ଗି ଦେଇଛନ୍ତି। ମୃତକଜଣକ ସୁନହଟ୍‌ ଅଞ୍ଚଳର ବାପୁନୁ ଓରଫ୍‌ ସତ୍ୟବ୍ରତ ଦାସ ବୋଲି ‌କୁହାଯାଇଛି। ତାଙ୍କ ମୁହଁ ଓ ଦେହର ଅନେକ ସ୍ଥାନରେ ହଣା ଦାଗ ଦେଖିବାକୁ ମିଳିଛି। ଏଥିସହ ତାଙ୍କୁ ଉଲଗ୍ନ କରିଦିଆଯାଇଛି। ତାଙ୍କ ନିକଟରେ ନମ୍ବର ପ୍ଲେଟ୍‌ ନଥିବା ଏକ କଳା-ନୀଳ ରଙ୍ଗର ସିଡି ଡିଲକ୍ସ ବାଇକ୍‌ ଏବଂ ଏକ ଭୁଜାଲି ଓ ମାରଣାସ୍ତ୍ରର ବେଣ୍ଟ ପଡ଼ିଥିବା ଦେଖାଯାଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାର ରହସ୍ୟ କିଛି ଜଣାପଡ଼ିନାହିଁ। ଖବରପାଇ ବାଲେଶ୍ବର କ୍ରାଇମ ଡିଏସ୍‌ପି ଅମୂଲ୍ୟ ଧର, ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଚାନ୍ଦିପୁର ଥାନା ଆଇଅାଇସି ଅଜୟ ମୁର୍ମୁ ଓ ଟାଉନ ଥାନା ଗୋପାଳ ଚନ୍ଦ୍ର କର୍ଣ୍ଣ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟବାସୀଙ୍କ ଭୟର ବାତାବରଣ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଆଜି ଦ୍ବି ପ୍ରହର ସମୟରେ ବାଲେଶ୍ବର ସହର ଟାଉନ ଥାନା ଅଧୀନ ମଲ୍ଲିକାଶପୁରଠାରେ ଜଣେ ବ୍ୟକ୍ତିଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ମାରଣାସ୍ତ୍ର ଦେଖାଇବା ସହ ତାଙ୍କଠାରୁ ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଖବର ମିଳିଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହର ଉପକଣ୍ଠ ସଦର ଥାନା ଅଧୀନ ଟୁଲଙ୍ଗସାହିର ଭାଗିରଥୀ ନାୟକ। ତାଙ୍କ ଅଭିଯୋଗ ଅନୁସାରେ, ଆଜି ଏକ ଜରୁରୀ କାମରେ ସେ ବାଲେଶ୍ବର ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରୁ ୩ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ଖୁବ୍‌ ସତର୍କତାର ସହ ଘରକୁ ଫେରୁଥିଲେ। ତେବେ ମଲ୍ଲିକାଶପୁରଠାରୁ ହରଗଙ୍ଗାପୋଖରୀ ଆଡ଼କୁ ଯିବା ଛକ ନିକଟରେ ତାଙ୍କୁ ୩/୪ ଜଣ ଅଜଣା ଯୁବକ ବାଇକ୍‌ରେ ଆସି ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍‌ ମାଗିଥିଲେ। ସେ ନଦେବାରୁ ତାଙ୍କୁ ଧକ୍କା ମାରି ତାଙ୍କ ବ୍ୟାଗ୍‌ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ସେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଜଣାଇଛନ୍ତି।

ସୂଚନାଥାଉକି, ଗତ ପାଞ୍ଚଦିନ ମଧ୍ୟରେ ବାଲେଶ୍ବର ସହରର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡ଼ିଯାଇଛି। ଗତ ୩୦ ତାରିଖରେ ଜଣେ କେରଳୀ ଯୁବକଙ୍କୁ ଅପହରଣ ପରେ ଆକ୍ରମଣ କରି ତାଙ୍କଠାରୁ ୬୦ ହଜାର ଟଙ୍କା ଲୁଟ୍‌ କରିଥିଲେ। ଉକ୍ତ ଯୁବକଜଣକ ଚିକିତ୍ସାଧୀନ ଅବସ୍ଥାରେ ପରଦିନ ଆଖି ବୁଜିଥିବା ବେଳେ ସେହିଦିନ ସାରଗାଁ ଛକରେ ଜଣେ ବାଇକ୍‌ ଆରୋହୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଲହୁଲୁହାଣ କରିଥିଲେ। ଏହାସହିତ ଦୁଇଦିନ ପୂର୍ବରୁ ବାଲେଶ୍ବର ସହରର ୩୧ ନମ୍ବର ୱାର୍ଡ କାଉନସିଲର ରଂଜିତା ମହାପାତ୍ର ଓ ବିଜେପି ନେତ୍ରୀ ମହୁଆ ପ୍ରଧାନ ଛିନ୍‌ତାଇର ଶିକାର ହୋଇଛନ୍ତି। ସହରରେ ପୁଲିସ ନିଷ୍କ୍ରିୟ ହୋଇପଡ଼ିଥିବା ବେଳେ ଅପରାଧୀମାନେ ଏଭଳି ଆତଙ୍କ ସୃଷ୍ଟି କରିବା ସହରବାସୀଙ୍କ ଜୀବନଜୀବିକାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର