ଦିଗପହଣ୍ଡିରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର

ବିପ୍ଲବ ଓ ବିପିନଙ୍କ ସମାନ୍ତରାଳ ଜନସଂପର୍କ ପଦଯାତ୍ରା

ଦିଗପହଣ୍ଡି : ଗଞ୍ଜାମର ଟାଣୁଆନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିରେ ବିଜେଡି ଭିତରେ ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି। ଏହାକୁ ନେଇ ରାଜ‌ନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଆଜି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଏବଂ ବିଜେଡି ରା‌ଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ଶ୍ରୀ ପାତ୍ରଙ୍କ ପୁଅ ବିପ୍ଳବଙ୍କ ନେତୃତ୍ବ‌ରେ ସମାନ୍ତରାଳ ଜନସଂପର୍କ ପଦଯାତ୍ରା ଏହାକୁ ଅଧିକ ଖୋରାକ୍ ଯୋଗାଇଛି।

ବିପ୍ଳବଙ୍କ ନେତୃତ୍ୱରେ କୋଟିନଡ଼ା ପଞ୍ଚାୟତ ମା’କୁରେଇଶୁଣୀ ମନ୍ଦିରରୁ ଆରମ୍ଭ ହୋଇଥିବା ବିଶାଳ ବାଇକ୍ ରାଲି ଗୋକର୍ଣ୍ଣପୁର ଓ ଅନଙ୍ଗପୁର ଗ୍ରାମ ଦେଇ ଦିଗପହଣ୍ଡିରେ ପହଞ୍ଚିଥିଲା। ବିପ୍ଳବ ଏକ ଖୋଲା ଜିପ୍‌ରେ କର୍ମୀଙ୍କ ଗହଣରେ ଆସିଥିଲେ। ଏହି ରାଲି ପଦ୍ମନାଭପୁର, କଇଠଡ଼ା, ବଡଡୁମ୍ବୁଳା ପଞ୍ଚାୟତର ବାଗଡା, କରପଡ଼ା ପଞ୍ଚାୟତର ଦେଖାଳି, ବମକୋଇ ପଞ୍ଚାୟତର ଚକିପଡା, ମଦନମୋହନପୁର, ବମକୋଇ, କୁମରଡ଼ା ଓ ମୁଣ୍ଡପୋତା, ଗଡଗୋବିନ୍ଦପୁର, ଗୌଡଗାଁ, ଟିକରପଡା ଓ ଭ୍ରମରପୁର ଦେଇ ବିଜୟଲକ୍ଷ୍ମୀନାରାୟଣପୁରରେ ପହଞ୍ଚିଥିଲା। ବିଜେଡି ବ୍ଲକ୍ ସଭାପତି ବିଭୂତି ଭୂଷଣ ମହାପାତ୍ର, ବିଜେଡି ଜିଲ୍ଲା ଉପସଭାପତି ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ସୁନିତା ସେଠୀ, ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଅନସୂୟା ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ, ଏମ.ନିରଞ୍ଜନ ରେଡ୍ଡୀ, ପ୍ରଶାନ୍ତ ପ୍ରଧାନ, ରବିଚନ୍ଦ୍ର ଗୌଡ଼, ସରପଞ୍ଚ ରଞ୍ଜନ କୁମାର ସାହୁ, ବିଜୟ ପ୍ରଧାନ, ଫନେନ୍ଦ୍ର ଦେବ ଗୋସ୍ୱାମୀଙ୍କ ସମେତ ବହୁ କର୍ମୀ ଏବଂ ବିଭିନ୍ନ ପଞ୍ଚାୟତରୁ ଜନପ୍ରତିନିଧି ସାମିଲ ହୋଇଥିଲେ।

ସେହିପରି ଦିଗପହଣ୍ଡି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ମଦନମୋହନପୁରରୁ ଏକ ପଦଯାତ୍ରା ବାହାରି ବମକୋଇ ଗ୍ରାମର କଲେଜ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ସଭାରେ ଏନଏସି ର ପୂର୍ବତନ ଅଧ୍ୟକ୍ଷ ଉଦୟନାଥ ସ୍ୱାଇଁ, ସରପଞ୍ଚ ତପନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ହରିବନ୍ଧୁ ରେଡ୍ଡୀ, ଅସିତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଭଗବାନ ବାଡ଼ତ୍ୟା, ଲଳିତମୋହନ ମହାପାତ୍ର, ନିରାକାର ପ୍ରଧାନ, ରାମକୃଷ୍ଣ ଚୌଧୁରୀ, ମହେଶ ପ୍ରଧାନ, ମନୋଜ କୁମାର ସାହୁ, ରାଜକିଶୋର ମହାନ୍ତି ଓ ବିକ୍ରମ ସିଂଙ୍କ ସମେତ ବହୁ କର୍ମୀ ସାମିଲ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଉପରେ ‌ଲୋକଙ୍କୁ ସଚେତନ କରିଥିଲେ । ତେବ‌େ ଜନସମ୍ପର୍କ ପଦଯାତ୍ରାର ଅନ୍ତିମ ଦିବସରେ ଦୁଇଟି ପୃଥକ୍ ସମାବେଶକୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା। ତେବେ ଏହି ଗୋଷ୍ଠୀ କନ୍ଦଳ ସାଧାରଣ ନିର୍ବାଚନ ଆଗରୁ ବିସ୍ଫୋରକ ରୂପ ନେବାର ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧିତ ଖବର