ଯାଜପୁର : ଜୀବନଜୀବିକା ପାଇଁ ସଂଘର୍ଷ କରୁଥିବା ଭିନ୍ନକ୍ଷମ, ବୁଢ଼ାବୁଢ଼ୀ ଓ ବିଧବାମାନଙ୍କ ସହାୟତା ପାଇଁ ସରକାର ଭତ୍ତା ବ୍ୟବସ୍ଥା କରିଛନ୍ତି। ଭତ୍ତା ପ୍ରଦାନରେ ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବା ପାଇଁ ହିତାଧିକାରୀଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଅର୍ଥ ପ୍ରଦାନ କରିବାକୁ ବ୍ୟବସ୍ଥା କଲେ। ମାତ୍ର ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଚରମ ଅବହେଳା ଓ ଅସାଧୁ କାରବାର ପାଇଁ ଶହଶହ ହିତାଧିକାରୀ ମାସମାସ ଧରି ଭତ୍ତା ଟଙ୍କା ପାଇପାରୁନାହାନ୍ତି। ସେହିପରି ବ୍ୟବସ୍ଥାର ସୁପରିଚାଳନା ଅଭାବରୁ ଜିଲ୍ଲାରେ ଏବେ ଅନଲାଇନ୍ରେ ୨୩ହଜାର ୯୧୪ଜଣ ଆବେଦନପତ୍ର ଏବଂ ଅଫ୍ଲାଇନ୍ରେ ଶହଶହ ଆବେଦନପତ୍ର ପଡ଼ିରହିଛି।
ପ୍ରକାଶ ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ପଞ୍ଚାୟତର ୧୦୨ବର୍ଷର ବରିଷ୍ଠ ନାଗରିକ କୃଷ୍ଣ ମଳିକ ଗତ ୭ମାସ ହେଲା ୫ଶହ ଟଙ୍କା ଲେଖାଏଁ ଭତ୍ତା ପାଇନାହାନ୍ତି। ସେହିପରି ବଡ଼ଚଣା ବ୍ଲକ୍ର ବାଲିପଡ଼ିଆ ପଞ୍ଚାୟତର ବାଲିପଡିଆ ଗ୍ରାମର କୁଞ୍ଜଲତା ମଳିକ (୭୫ ବର୍ଷ) ପୂର୍ବରୁ ଭତ୍ତା ପାଉଥିଲେ କିନ୍ତୁ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ ବ୍ୟବସ୍ଥା ପରଠାରୁ ୯ ମାସ ହେବ ଭତ୍ତା ପାଇନାହାନ୍ତି। ଏହି ଗ୍ରାମର ପୂର୍ଣ୍ଣିମା ସାମଲ ୯୦ ବର୍ଷ ବୟସର ବିଧବା ମହିଳା ମଧ୍ୟ ୯ ମାସ ହେଲା ଭତ୍ତା ପାଉନାହାନ୍ତି। ୮୦ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ୭୦୦ ଟଙ୍କା ପରିବର୍ତ୍ତେ କେତେକଙ୍କୁ ୫୦୦ ଟଙ୍କା ଦିଆଯାଇଛି । ଏହି ଭଳି ପ୍ରତି ଅଞ୍ଚଳରେ ଅସହାୟ ହିତାଧିକାରୀ ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଚାଲିଛନ୍ତି।
Photo: Financial Expressସରକାରୀ ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରେ ଏବେ ସୁଦ୍ଧା ୧ ଲକ୍ଷ ୯୫ ହଜାର ୪୨୨ଜଣ ଭତ୍ତା ପାଉଥିବାର କୁହାଯାଉଛି। ଭତ୍ତା ମଞ୍ଜୁର ବେଳେ ବୟସ ଅନୁଯାୟୀ କ୍ରମାନ୍ୱୟରେ କରାଯାଉ ନାହିଁ । ଯାହା ଫଳରେ ଅଧିକ ବୟସର ଗରିବ ଲୋକମାନେ ଭତ୍ତା ଅପେକ୍ଷାରେ ରହି ଆଖିବୁଜୁଛନ୍ତି। ଏବେ ସୁଦ୍ଧା ବଡ଼ଚଣା ବ୍ଲକରେ ୨୨,୬୭୨ ଜଣ, ବରୀରେ ୧୬,୭୧୨ ଜଣ, ବିଂଝାରପୁରରେ ୨୧,୬୫୩ ଜଣ, ଦାନଗଦୀରେ ୧୩,୧୪୯ ଜଣ, ଦଶରଥପୁରରେ ୨୪,୪୫୮ ଜଣ, ଧର୍ମଶାଳାରେ ୨୩,୨୬୮ ଜଣ, ଯାଜପୁରରେ ୧୭,୯୪୫ ଜଣ, କୋରେଇରେ ୧୪,୮୨୪ ଜଣ , ରସୁଲପୁରରେ ୧୭,୪୧୬ ଜଣ , ସୁକିନ୍ଦାରେ ୧୪,୯୩୯ ଜଣ ଓ ଯାଜପୁର ପୌରାଞ୍ଚଳର ୩,୯୬୭ ଜଣ, ବ୍ୟାସନଗର ପୌରାଞ୍ଚଳରେ ୪,୪୧୯ ଜଣ ଭତ୍ତା ପାଉଛନ୍ତି। ଭତ୍ତା ପ୍ରଦାନରେ ହେରଫେର ଅଭିଯୋଗ ହେବାରୁ ସରକାର ବ୍ୟାଙ୍କ ଜରିଆରେ ହିତାଧିକାରୀଙ୍କ ସଞ୍ଚୟଖାତାରେ ଜମା କରିବା ପାଇଁ ନିୟମ କଲେ। ଯାହା ଫଳରେ ଭତ୍ତା ପାଇଁ ଆଉ ପଞ୍ଚାୟତ ଅଫିସକୁ ଆସିବାକୁ ପଡିବନି। ନିକଟସ୍ଥ ଜନସେବା କେନ୍ଦ୍ରରୁ ବା ବ୍ୟାଙ୍କମିତ୍ରଙ୍କ ଜରିଆରେ ଭତ୍ତା ଟଙ୍କା ହିତାଧିକାରୀ ପାଇପାରିବେ। କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବହୁ ଲୋକ ଭତ୍ତାରୁ ବଞ୍ଚିତ ହେଉଛନ୍ତି ।
ନିୟମ ଅନୁଯାୟୀ ୬୦ ବର୍ଷ ହେଲେ ଭତ୍ତା ପାଇଁ ଆବେଦନ କରିପାରିବେ। ଭତ୍ତା ଆବେଦନପତ୍ରକୁ ଅଧିକାରୀମାନେ ତନଖି କରି ମଞ୍ଜୁର କଲା ବେଳେ ବୟସ ଅନୁଯାୟୀ କରୁନାହାନ୍ତି। ଯାହା ଫଳରେ ୬୦ ବର୍ଷ ଲୋକ ଭତ୍ତା ପାଉଥିବା ବେଳେ ୮୦ ବର୍ଷର ଲୋକ ଭତ୍ତାପାଉନାହିଁ। ବଡ଼ଚଣା ବ୍ଲକରେ ୨୦୨୩ ଜଣ, ବରୀ ବ୍ଲକରେ ୨୮୭୭ ଜଣ, ବିଂଝାରପୁର ବ୍ଲକରେ ୩୩୧୨ ଜଣ, ଦାନଗଦି ବ୍ଲକରେ ୧୦୨୯ ଜଣ, ଦଶରଥପୁର ବ୍ଲକରେ ୨୮୭୫ ଜଣ, ଧର୍ମଶାଳା ବ୍ଲକରେ ୩୬୫୧ ଜଣ, ଯାଜପୁର ବ୍ଲକରେ ୨୪୫୦ ଜଣ, କୋରେଇ ବ୍ଲକରେ ୧୬୬୯ ଜଣ, ରସୁଲପୁର ବ୍ଲକରେ ୨୨୨୯ ଜଣ, ସୁକିନ୍ଦା ବ୍ଲକରେ ୧୩୩୦ ଜଣ ଓ ବ୍ୟାସନଗର ପୌର ପରିଷଦରେ ୧୯୪ ଜଣ, ଯାଜପୁର ପୌରପରିଷଦରେ ୨୭୪ ଜଣ ଭତ୍ତା ପାଇଁ ଆବେଦନ କରିଛନ୍ତି। ଭୋଟର ପରିଚୟ ଓ ଆଧାର କାର୍ଡରେ ବୟସ ବଢ଼ାଇ ଓ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଅନେକ ଅଯୋଗ୍ୟ ହିତାଧିକାରୀ ଭତ୍ତା ହାତେଇ ନେଉଛନ୍ତି। ଅସହାୟ ଲୋକଙ୍କ ନିକଟରେ ସରକାରଙ୍କ ସର୍ବନିମ୍ନ ସହାୟତା ରାଶି ପହଞ୍ଚାଇବା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/pension.jpeg)