ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ପିତଳ ଗ୍ରାମ ପୁଣି ଅଶାନ୍ତ ହୋଇଉଠିଛି। ସାମାନ୍ୟ ବଚସାରୁ ଗ୍ରାମର ହରିଜନ ସାହିର ହୀନ ନାଇକ (୫୨) ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ହତ୍ୟା କରିଛନ୍ତି। ପିତଳ ଡାକ୍ତରଖାନା ରାସ୍ତା ପାଖରୁ ହୀନଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି।

Advertisment

ସୂଚନାନୁସାରେ, ସନ୍ଧ୍ୟା‌ରେ ପିତଳ ବଜାରରେ ହୀନ ଓ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ପାୱାରକଟ୍ ହୋଇଥିବା ସୁଯୋଗ ନେଇ ସେମାନେ ହୀନଙ୍କୁ ସେଠାରୁ ଉଠାଇ ଆଣିଥିଲେ। କିଛି ସମୟ ପରେ ଡାକ୍ତରଖାନା ରାସ୍ତା ପାଖରୁ ହୀନଙ୍କ ଶବ ମିଳିଥିଲା। ଖବର ମିଳିବା ସୁଦ୍ଧା, ହିଞ୍ଜିଳିକାଟୁ ଥାନାଧିକାରୀ ଅଭିମନ୍ୟୁ ଦାସ ଓ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଯାଏ ଶବକୁ ଜବତ କରାଯାଇନି। ବିଭିନ୍ନ ରାସ୍ତାକୁ ବ୍ଲକିଂ କରାଯାଇଛି। ସୂଚନା ଥାଉକି, ଗତ ମାର୍ଚ୍ଚ ମାସରେ ପିତଳ ଛକରେ ୪ ଭାଇଙ୍କୁ ନିର୍ମମ ହତ୍ୟା ଘଟଣା ସେତେବେଳେ ଆଲୋଡ଼ନ ସୃ୍ଷ୍ଟି କରିଥିଲା। ଆଜି ପୁଣି ଏକ ହତ୍ୟାକାଣ୍ଡକୁ ନେଇ ଆତଙ୍କ ଦେଖାଦେଇଛି।