ସ୍ନାନଯାତ୍ରାରେ ବିଶୃଙ୍ଖଳା: ରଥଯାତ୍ରାରେ ଅସମ୍ଭାଳ ହେବା ଆଶଙ୍କା

ନୀତିକାନ୍ତି ୪ ଘଣ୍ଟା ବିଳମ୍ବ, ବ୍ୟବସ୍ଥାବଳୀ କେହି ମାନିଲେନି

ପୁରୀ: ନୀତିକାନ୍ତି ଶୃଙ୍ଖଳିତ ହେବ। ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ ଠିକ୍‌ ସମୟରେ ନୀତି ସମ୍ପନ୍ନ ହେବ। ଠାକୁରଙ୍କୁ କେହି ଅଢ଼ୁଆଳ କରି‌ କି ଡେରା ପକାଇ ବସିବେନି। ଭକ୍ତ ଯେପରି ଭଲରେ ଦର୍ଶନ କରି‌ପାରିବେ, ସେ ଦିଗକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ସ୍ନାନଯାତ୍ରା ପୂର୍ବରୁ ଘନ ଘନ ବୈଠକ କରି ଏଭଳି ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରତିବର୍ଷ ଭଳି ଚଳିତବର୍ଷ ବି ନୀତି ଶୃଙ୍ଖଳା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ, ଆଜି ‌ଏହି ‌ବ୍ୟବସ୍ଥାବଳୀକୁ କେହି ମାନିନାହାନ୍ତି। ସ୍ନାନବେଦିରେ ଠାକୁରଙ୍କ ମୁଣ୍ଡ ପାଖରେ ବାଡ଼ାରେ ସେବକ ବସି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ସେପଟେ ମାଳ ମାଳ ସେବକ ବି ଆଜି ଠାକୁରଙ୍କ ଆଗରେ ଠିଆ ହେବା ଓ ବସିବାରୁ ଭକ୍ତମାନେ ଠାକୁରଙ୍କ ସ୍ପଷ୍ଟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ନୀତିକାନ୍ତି ବି ଆଜି ପ୍ରାୟ ୪ ଘଣ୍ଟା ବିଳମ୍ବ ହୋଇଛି। ଯଦି ଏବେଠୁ ଏହାକୁ ଶୃଙ୍ଖଳିତ କରା ନଯାଏ, ରଥଯାତ୍ରାରେ ଯେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଆଜି ଆରମ୍ଭରୁ ହିଁ ନୀତିକାନ୍ତି ପ୍ରାୟ ଦେଢ଼ଘଣ୍ଟା ବିଳମ୍ବ ହୋଇଥିଲା। ଭୋର ସାଢ଼େ ୩ଟାରୁ ମଙ୍ଗଳାର୍ପଣ ନୀତି ସମ୍ପନ୍ନ କରିବାକୁ ଚୂଡ଼ାନ୍ତ ହୋଇଥିଲେ ବି ଭୋର ୪ଟା ୪୫ରେ ମଙ୍ଗଳାର୍ପଣ ନୀତି ହୋଇଥିଲା। ୪ଟାରୁ ୬ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ସହ ପହଣ୍ଡି ଶେଷ କରିବାକୁ ଚୂଡ଼ାନ୍ତ ହୋଇଥିଲେ ବି ଭୋର ୪ଟା ୫୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ସାଢ଼େ ୬ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ସାଢ଼େ ୯ଟାରୁ ଜଳବିଜେ ନୀତି ଆରମ୍ଭ ହେବାର ଥିଲେ ବି ପୂର୍ବାହ୍ନ୧ଟା ୪୦ରେ ଜଳଛେକ ବିଜେ ହୋଇଥିଲା। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଥିଲା। ଏହା ମଝିରେ ମହାସ୍ନାନ ପରେ ଅନ୍ୟାନ୍ୟ ନୀତିକାନ୍ତି ବି ବିଳମ୍ବିତ ହୋଇଥିଲା।

ନୀତିକାନ୍ତି ୪ ଘଣ୍ଟା ବିଳମ୍ବ
ବ୍ୟବସ୍ଥାବଳୀ କେହି ମାନିଲେନି
ଠାକୁରଙ୍କୁ ଅଢ଼ୁଆଳ କଲେ, ମୁଣ୍ଡ ପାଖରେ ବସିଲେ

ଯେଉଁଥିପାଇଁ ୧୨ଟା ୪୫ରୁ ଆରମ୍ଭ ହେବାକୁ ଥିବା ଗଜବେଶ ଅପରାହ୍ନ ୪ଟା ୪୫ରେ ଆରମ୍ଭ ହୋଇଥିଲା। ବ୍ୟବସ୍ଥାବଳୀ ଅନୁଯାୟୀ, ନୀତି ସମ୍ପୃକ୍ତ ସେବାୟତ ନୀତିକାନ୍ତି ବେଳେ ଉପସ୍ଥିତ ରହିବେ। କିନ୍ତୁ ଆଜି ପାଳି ନ ଥିବା ବହୁ ସଂଖ୍ୟାରେ ସେବକ ସ୍ନାନବେଦିରେ ଉପସ୍ଥିତ ଥିଲେ। ଯେଉଁମାନେ ଠାକୁରଙ୍କୁ ଅଢ଼ୁଆଳ କରି ବସିଥିଲେ। ଫଳରେ ଡହଡହ ଖରାରେ ଧାଡ଼ିରେ ଯାଉଥିବା ଭକ୍ତମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କୁନି କୁନି ପିଲା ବି ଠାକୁରଙ୍କ ମୁଣ୍ଡ ପାଖରେ ବସିଛନ୍ତି। ଯାହା ଠାକୁରଙ୍କ ଅସମ୍ମାନ ବୋଲି ଭକ୍ତ କହିଛନ୍ତି। ଅନ୍ୟପଟେ ସେବକମାନେ ସେମାନଙ୍କ ପରିବାରର କୁନି କୁନି ପିଲାଙ୍କୁ ବି ଆଣି ଠାକୁରଙ୍କୁ ସ୍ପର୍ଶ କରାଇଛନ୍ତି। ଏହାକୁ ଭକ୍ତମାନେ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର